26.1 C
Bhubaneswar
Tuesday, November 17, 2026
Homeଓଡିଶାଆଜିର ଯୁବପିଢ଼ି ଅରାଜକତା ନୁହେଁ ବରଂ ଲୋକତନ୍ତ୍ର ଓ ବିଚାରବିମର୍ଷରେ ହିଁ ବିଶ୍ୱାସ ରଖନ୍ତି- ମୁଖ୍ୟମନ୍ତ୍ରୀ

ଆଜିର ଯୁବପିଢ଼ି ଅରାଜକତା ନୁହେଁ ବରଂ ଲୋକତନ୍ତ୍ର ଓ ବିଚାରବିମର୍ଷରେ ହିଁ ବିଶ୍ୱାସ ରଖନ୍ତି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଆଜି ଆୟୋଜିତ ଯୁବ ମହୋତ୍ସବ ‘ଉମଙ୍ଗ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଯୁବପିଢ଼ିଙ୍କୁ ନୂଆ ଭାରତ ଓ ସମୃଦ୍ଧ ଓଡ଼ିଶା ନିର୍ମାଣର ପ୍ରକୃତ ସାରଥି ଭାବେ ଅଭିହିତ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ Art of Living ପକ୍ଷରୁ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ଯୁବସମାଜର ସାମଗ୍ରିକ ବିକାଶ, ଗୁଣାତ୍ମକ ଶିକ୍ଷା, ନାରୀ ସଶକ୍ତିକରଣ ଏବଂ ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ମଞ୍ଚରୁ ବିସ୍ତୃତ ବାର୍ତ୍ତା ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଯୁବପିଢ଼ିଙ୍କ ଉତ୍ସାହ ଓ ଅନୁଶାସନକୁ ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ, ଆଜିର ଯୁବସମାଜ ଅସମ୍ଭବକୁ ସମ୍ଭବ କରି ଦେଖାଇବାର ସାମର୍ଥ୍ୟ ରଖନ୍ତି ଏବଂ ସେମାନେ ହିଁ ହେଉଛନ୍ତି ଦେଶର ‘ରିଅଲ ୟୁଥ୍’। ସେମାନେ ଅରାଜକତା ନୁହେଁ, ବରଂ ବିଚାରବିମର୍ଷ ଓ ଲୋକତନ୍ତ୍ରରେ ବିଶ୍ୱାସ ରଖନ୍ତି ଏବଂ ସେମାନଙ୍କ ମନରେ ସାଂସ୍କୃତିକ ରାଷ୍ଟ୍ରବାଦ ଭରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ସଂକଳ୍ପକୁ ସାକାର କରିବାରେ ଓଡ଼ିଶାର ଯୁବଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହା ସହିତ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅବଦାନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କେବଳ ପାଠପଢ଼ାରେ ସୀମିତ ନରହି ‘ଏଜୁକେସନ୍ ୱିଥ୍ ଭାଲ୍ୟୁଜ୍’ ବା ମୂଲ୍ୟବୋଧଭିତ୍ତିକ ଶିକ୍ଷା ମାଧ୍ୟମରେ ଭବିଷ୍ୟତର ରାଷ୍ଟ୍ରନିର୍ମାତା ପ୍ରସ୍ତୁତ କରୁଛି ଏବଂ ଏହା ଏକ ମାନବ ନିର୍ମାଣର କାରଖାନା ପାଲଟିଛି।

ଶିକ୍ଷା ହିଁ ଅଜ୍ଞାନର ଅନ୍ଧକାରକୁ ଦୂର କରେ ଏବଂ ଆର୍ଥିକ ଅନାଟନ ଯୋଗୁଁ ଯେପରି କୌଣସି ମେଧାବୀ ବିଦ୍ୟାର୍ଥୀଙ୍କ ପାଠପଢ଼ାରେ ଡୋରି ନବନ୍ଧାଯାଏ, ସେଥିପାଇଁ ସରକାର ରାଜ୍ୟରେ ‘କେଜି ରୁ ପିଜି ଶିକ୍ଷା’ ବା ୟୁନିଭର୍ସାଲ୍ ଫ୍ରି ଏଜୁକେସନ୍ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହାଦ୍ୱାରା ଲକ୍ଷ ଲକ୍ଷ ଗରିବ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେଉଛନ୍ତି। ସେହିପରି ଗରିବ ପରିବାରର କନ୍ୟାସନ୍ତାନମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷଠାରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଆରମ୍ଭ କରାଯାଇଛି, ଯେଉଁଥିରେ ୨୦୨୬ ଏପ୍ରିଲ ପରଠାରୁ ଜନ୍ମିତ ଯୋଗ୍ୟ କନ୍ୟାସନ୍ତାନଙ୍କ ନାମରେ ୨୦ ହଜାର ଟଙ୍କା ଜମା ରଖାଯିବ ଏବଂ ସେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଏକାଥରକେ ୧ ଲକ୍ଷ ୧ ଟଙ୍କା ପାଇପାରିବେ। ଏହା ବ୍ୟତୀତ ଛାତ୍ରସମାଜକୁ ଗଣତାନ୍ତ୍ରିକ ଅଧିକାର ଦେବା ଓ ସେମାନଙ୍କ ଭିତରେ ନେତୃତ୍ୱର ଗୁଣ ବିକଶିତ କରିବା ପାଇଁ ରାଜ୍ୟ ସରକାର କଲେଜ ନିର୍ବାଚନ କରାଇଛନ୍ତି, ଯାହାଫଳରେ ନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଆଜି ନିଜ କ୍ୟାମ୍ପସରେ ସକାରାତ୍ମକ ଭୂମିକା ନିର୍ବାହ କରୁଛନ୍ତି।

କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ଯେ, ଜୀବନରେ ପ୍ରକୃତ ଆନନ୍ଦ ଓ ଉତ୍ସାହ ବାହ୍ୟ କ୍ଷତିକାରକ ନିଶା ଦ୍ରବ୍ୟରୁ ନୁହେଁ, ବରଂ ନିଜ ଭିତରର ଆତ୍ମଶକ୍ତି, ଆତ୍ମଚିନ୍ତନ, ଧ୍ୟାନ ଏବଂ ଯୋଗରୁ ମିଳିଥାଏ। ଯୁବସମାଜ ନିଜର ଅସୀମ ଶକ୍ତିକୁ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବାରେ ବିନିଯୋଗ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଧ୍ୟାନ, ପ୍ରାଣାୟାମ ଏବଂ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ ମନକୁ ଚାପମୁକ୍ତ ଓ ପ୍ରଫୁଲ୍ଲ ରଖିବା ସହ ଏକ ନିଶାମୁକ୍ତ, ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ସମାଜ ଗଠନରେ ସବୁଠାରୁ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାଜ୍ୟର ପ୍ରଗତି ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିବା ‘ନିଶା’ ସମସ୍ୟାର ମୂଳୋତ୍ପାଟନ ପାଇଁ ସରକାରଙ୍କ ରଣନୀତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଶାମୁକ୍ତ ଓଡ଼ିଶା କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏହା ସରକାରଙ୍କ ବଜ୍ର ଶପଥ ।

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ପହଞ୍ଚି ସାରିଛି ଏବଂ ଏଯାବତ୍ ୧୬ ଲକ୍ଷ ଯୁବକଯୁବତୀଙ୍କ ସମେତ ପ୍ରାୟ ୩୮ ଲକ୍ଷ ଲୋକଙ୍କୁ ଏହି ସଚେତନତା ଅଭିଯାନରେ ସାମିଲ କରାଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ‘ଦିଶା’ ଯୋଜନା ମାଧ୍ୟମରେ ୧୦ଟି ଜିଲ୍ଲାର ୧୧ଟି କେନ୍ଦ୍ରରେ ୧୨ ହଜାର ୨୨୭ ଜଣ ନିଶାସକ୍ତ ବ୍ୟକ୍ତିଙ୍କୁ ଆବାସିକ ପୁନର୍ବାସ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହି ସେବାକୁ ଆହୁରି ବ୍ୟାପକ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୪ କୋଟି ଟଙ୍କା ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ୧୬.୪୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।

ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରଖିବା ପାଇଁ ସରକାର ‘ଡ୍ରଗ୍ସ ଫ୍ରି କ୍ୟାମ୍ପସ୍’ ଘୋଷଣା କରିଥିବା ବେଳେ କ୍ୟାମ୍ପସ ପରିସରରେ ଯେକୌଣସି ପ୍ରକାର ନିଶା ସେବନ ଓ ବିକ୍ରୟକୁ ବେନିୟମ ଘୋଷଣା କରାଯାଇଛି। ଆଗାମୀ ଦିନରେ ସ୍କୁଲ ଓ କଲେଜ ସ୍ତରରେ ସ୍ୱତନ୍ତ୍ର ନିଶା ବିରୋଧୀ ପାଠ୍ୟକ୍ରମ ବା ମଡ୍ୟୁଲ୍ ପ୍ରସ୍ତୁତ କରାଯିବ ଏବଂ ନିଶାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ସହିତ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ‘ଦି ଆର୍ଟ ଅଫ୍ ଲିଭିଂ’ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଚାଲିଥିବା ‘ଡ୍ରଗ୍ସ ଫ୍ରି ଇଣ୍ଡିଆ ମୁଭମେଣ୍ଟ’ର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧ୍ୟାନ, ଯୋଗ, ପ୍ରାଣାୟାମ ଏବଂ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ ବିନା କୌଣସି କ୍ଷତିକାରକ ପଦାର୍ଥରେ ମନକୁ ସ୍ୱାଭାବିକ ଭାବେ ପ୍ରଫୁଲ୍ଲ ଓ ସକ୍ରିୟ ରଖିବାରେ ସହାୟକ ହୋଇଥାଏ।

କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୁବସମାଜର ସାମାଜିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏକ ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଦୃଢ଼ ସଂକଳ୍ପ ନେବା ପାଇଁ ଆଜି ସମସ୍ତେ ଏଠାରେ ଏକତ୍ରିତ ହୋଇଛନ୍ତି। ସମାଜ ପ୍ରତି ନିଜର ଦାୟିତ୍ୱବୋଧ ନେବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେବା ସହ ଆଜିର ଯୁବଗୋଷ୍ଠୀ ହିଁ ହେଉଛନ୍ତି ଆଜିର ପ୍ରକୃତ ପରିବର୍ତ୍ତନର ବାହକ ବୋଲି ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସମେତ ରାଜ୍ୟର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ଏକ ବିଶେଷ ପର୍ଯ୍ୟାୟରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ଅତିଥିମାନଙ୍କୁ ନିଶାଠାରୁ ଦୂରେଇ ରହିବା ଏବଂ ଏକ ସୁସ୍ଥ, ନିଶାମୁକ୍ତ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ସାମୂହିକ ଶପଥ ପାଠ କରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking