ଭୁବନେଶ୍ୱର: ଇଣ୍ଡିଆ ବ୍ଲକର କାଲିର ଓଡିଶା ବନ୍ଦ ପାଳନକୁ ବିଜେଡି ସମର୍ଥନ । ବୈଠକରୁ ଫେରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନବୀନ ପଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ରେ ବୈଠକ ବସିଥିଲା । ବୈଠକରେ ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ, ଇପସିତା ସାହୁ ଏବଂ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ପ୍ରମିଳା ମଲ୍ଲିକ ବୈଠକରୁ ଫେରି ଆହୁରି କହିଛନ୍ତି ନିଶ୍ଚିତ ଭାବେ ସମର୍ଥନ କରିବୁ । ଇଣ୍ଡି ମେଣ୍ଟରେ ଯେହେତୁ ଅଛୁ , ସମର୍ଥନ କରିବୁ । ତେବେ କଂଗ୍ରେସ ଆସନ୍ତାକାଲି ବିଭିନ୍ନ ପ୍ରସଙ୍ଗକୁ ନେଇ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି । ଏସଆଇଆର ପ୍ରସଙ୍ଗ ହେଉ, ଏମଏମଡିଆର ସଂଶୋଧନ ବିଲ ପ୍ରସଙ୍ଗ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଓଡିଶା ବନ୍ଦ ଡାକରା ଦେଇଛି ଇଣ୍ଡି ବ୍ଲକ । ଜରୁରୀକାଳୀନ ସେବା ଛଡା ଦୋକାନ ବଜାର, ପେଟ୍ରୋଲ ପମ୍ପ, କାର୍ଯ୍ୟାଳୟ, ଟ୍ରେନ, ବସ ସବୁ କିଛି ବନ୍ଦ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ବଡ କଥା ହେଉଛି ଏହି ବନ୍ଦର ପ୍ରଭାବ କେତେ ଦୂର ଓଡିଶାରେ ପଡିବ ତାହା ଦେଖିବାକୁ ବାକି ରହିଲା ।










