ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନ । ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ । ଏନେଇ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଛନ୍ତି । ପ୍ରଶ୍ନକାଲ ଚାଲିଥିବା ବେଳେ କଂଗ୍ରେସ ଏମଏମଡିଆର ସଂଶୋଧନ ପ୍ରତ୍ୟାହାର ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ନାରାବାଜି କରିଥିବା ବେଳେ ବିଜେଡି ବହି ତ୍ରୁଟି ପ୍ରସଙ୍ଗ ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି । ବାଚସ୍ପତି ବିରୋଧୀଙ୍କୁ ନିଜ ଜାଗାକୁ ଯାଇ ପ୍ରଶ୍ନକାଳରେ ସହଯୋଗ କରିବା ପାଇଁ କହିବା ପରେ ବିରୋଧୀ ଗୃହକୁ ଚଳାଇ ଦେଇନଥିଲେ । ବିରୋଧୀଙ୍କ ଏଭଳି ନାରାବାଜି ଏବଂ ହଟ୍ଟଗୋଳରେ ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










