ଭୁବନେଶ୍ୱର : ହିନ୍ଦ ମଜଦୁର ସଭା (HMS) ଓଡ଼ିଶା ରାଜ୍ୟ କାଉନସିଲର ପ୍ରଥମ କାର୍ଯ୍ୟକାରିଣୀ କମିଟି ବୈଠକ ଆଜି ସ୍ଥାନୀୟ ଲୋହିୟା ଏକାଡେମୀ, ଭୁବନେଶ୍ବର ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗତ ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ୧୫ତମ ରାଜ୍ୟ ସମ୍ମିଳନୀ ପରେ ଏହା କମିଟିର ପ୍ରଥମ ବୈଠକ ଥିଲା। ଏହି ଅବସରରେ ନବନିର୍ବାଚିତ ସମସ୍ତ କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି।ବରିଷ୍ଠ ସମାଜବାଦୀ ନେତା ତଥା ଉପ-ସଭାପତି କମ୍ରେଡ ଲକ୍ଷ୍ମୀଧର ସାହୁ ହିନ୍ଦ ମଜଦୁର ସଭାର ସଭାପତି ତଥା ଆଠଗଡ଼ର ମାନ୍ୟବର ବିଧାୟକ କମ୍ରେଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଧାରଣ ସମ୍ପାଦକ କମ୍ରେଡ ଶଙ୍କର ପ୍ରସାଦ ବେହେରାଙ୍କ ସମେତ ସମସ୍ତ ନବ ନିର୍ବାଚିତ ସଭ୍ୟ/ସଭ୍ୟା ମାନଙ୍କୁ ଶପଥ ପାଠ କରାଇଥିଲେ।ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ତଥା ଜନବିରୋଧୀ ନୀତିକୁ ତୀବ୍ର ନିନ୍ଦା କରାଯାଇଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଉଥିବା ଚାରୋଟି କଳା ଶ୍ରମ କୋଡ୍ (Labour Codes), ଏମଏମଡିଆର (MMDR) ସଂଶୋଧନ ଆକ୍ଟ ଏବଂ ସିଇସି (CEC) ଦ୍ୱାରା ପ୍ରସ୍ତୁତ ଏସଆଇଆର (SIR) ଷଡ଼ଯନ୍ତ୍ର ସମେତ ବିଭିନ୍ନ ଜନବିରୋଧୀ ଓ ଦେଶବିରୋଧୀ ନୀତି ବିରୁଦ୍ଧରେ ଏହି ବୈଠକରେ ଏକ ସଂକଳ୍ପ ପାରିତ କରାଯାଇଛି।ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ କାଉନସିଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଶ୍ରମିକ ମାରଣ ଓ ଜନବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ବିରୋଧ କରୁଛି ବୋଲି ବୈଠକରେ ନେତୃବୃନ୍ଦ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଶ୍ରମିକମାନଙ୍କ ହକ ଓ ନ୍ୟାଯ୍ୟ ଅଧିକାର ପାଇଁ ସଂଗଠନ ନିଜର ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରିବ ବୋଲି ନବନିର୍ବାଚିତ ଶପଥପ୍ରାପ୍ତ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।










