ଭୁବନେଶ୍ୱର : ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଡ୍ରପଆଉଟ ନେଇ ଆସିଛି ଆଶ୍ଵସ୍ତିକର ଖବର । ରାଜ୍ୟରେ ମାଧ୍ୟମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି । ଗତ ବର୍ଷ ୧୫ ପ୍ରତିଶତ ଥିବା ହାର ଚଳିତ ବର୍ଷ ୧୪.୧ ପ୍ରତିଶତକୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି ।
ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ରେ ଡ୍ରପ୍ ଆଉଟ୍ ହାର ୧୨.୮୦ ପ୍ରତିଶତ ଥିଲା, ୨୦୨୪-୨୫ ରେ ତାହା ୧୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ହେଲେ UDISE+ ର ନୂଆ ତଥ୍ୟ ଅନୁଯାୟୀ ୨୦୨୫-୨୬ ରେ ଏହା ୧୪.୧ ପ୍ରତିଶତକୁ ଖସିଛି । ଯାହା ଏହା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବ (Decreasing Trend)କୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ସ୍କୁଲ ବାହାରେ ରହିଯାଇଥିବା (ଆଉଟ୍ ଅଫ୍ ସ୍କୁଲ) ଶିଶୁଙ୍କୁ ପୁନର୍ବାର ପାଠପଢ଼ା ମୂଳସ୍ରୋତକୁ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଆଉଟ୍ ଅଫ୍ ସ୍କୁଲ୍ ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି । ଓଡିଶା ଶିକ୍ଷା ସର୍ଭେକ୍ଷଣରେ ୨,୧୬,୧୩୧ ଜଣ ପିଲା ସ୍କୁଲ ବାହାରେ ଥିବା ଚିହ୍ନଟ ହୋଇଥିବା ବେଳେ ୭୯,୯୯୬ ଜଣଙ୍କୁ ପୁଣି ସ୍କୁଲକୁ ଫେରାଇ ଅଣାଯାଇଛି । ତେବେ ଆହୁରି ୧ ଲକ୍ଷ ୩୬ ହଜାର ୧୩୫ ଜଣ ପିଲା ସ୍କୁଲ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି ।










