ନୂଆଦିଲ୍ଲୀ: ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟରେ ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗୁରୁବାର, ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି । ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ ପ୍ରଭାବିତ କରିଥିଲା । ସ୍ଥାନୀୟ ରିପୋର୍ଟ ଅନୁସାରେ, ଭୂସ୍ଖଳନରେ ୩୦ରୁ ଅଧିକ ଘର ପ୍ରଭାବିତ ହୋଇଛି । ଏଥିରେ କିଛି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଅନ୍ୟ କେତେକ ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।
ବିଦ୍ୟୁତ ବିଭାଗର ସରକାରୀ କ୍ୱାର୍ଟର୍ସ ମଧ୍ୟ ଭୂସ୍ଖଳନର ପ୍ରଭାବରେ ଆସିଛି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ପରିବାରଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରଶାସନ ପକ୍ଷରୁ ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ ଉପରେ ନଜର ରଖାଯାଉଛି । ଏହି ଘଟଣାକୁ ନେଇ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ସେ କହିଛନ୍ତି । ସ୍ଥାନୀୟ ପ୍ରଶାସନକୁ ହାଇଆଲର୍ଟରେ ରହିବା ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର ବର୍ଷା ଯୋଗୁଁ ସିକିମର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢ଼ିଛି । ରିମ୍ବି ଅଞ୍ଚଳରେ ମଧ୍ୟ ପୂର୍ବରୁ ଭୂସ୍ଖଳନ ଯୋଗୁଁ ଘର, ରାସ୍ତା ଓ ଅନ୍ୟାନ୍ୟ ସର୍ବସାଧାରଣ ସମ୍ପତ୍ତି ପ୍ରଭାବିତ ହୋଇଥିଲା।










