ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ଟି ସରକାରୀ ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଖବର ଲୋକଲୋଚନକୁ ଆସିବା ପରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଥିବା ରାଜ୍ୟ ବିଜେପି ସରକାର ମାତ୍ର ୨ ବର୍ଷରେ ୧,୩୮,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାର ମରାମତି ଓ ଉନ୍ନତିକରଣରେ ୩.୩ କୋଟି ଟଙ୍କା ଖର୍ଚ୍ଚ ହେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ କହିଥିଲେ ଯେ, ଓଡିଶା ପରି ଏକ ଗରିବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇଟି ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ ହେବା ଏକ ଚିନ୍ତାଜନକ ବିଷୟ । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ, ପ୍ରଥମେ ଦୁଇ ଦୁଇଟି ଘର ରଖିବା ଓ ଏହାର ମରାମତି ଓ ଉନ୍ନତିକରଣ ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ କରାଯିବା, ମୁଖ୍ୟମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ମାନସିକତାକୁ ପ୍ରଦର୍ଶିତ କରୁଛି । ସୂଚନା ଅଧିକାର ଆଇନ ବଳରେ କେଉଁ କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିପନ୍ନ ହେବ ଓ ରାଜ୍ୟର କ୍ଷତି ହେବ ବୋଲି ଅବାନ୍ତର ଯୁକ୍ତି ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, କେଉଁ କାରଣ ପାଇଁ ରାଜ୍ୟ ସରକାର ଏହି ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ?
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଅଢେଇ ବର୍ଷର ବିଜେପି ଶାସନରେ, ରାଜ୍ୟର ବିକାଶ ଠପ୍ ହୋଇଥିବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡିଛି । ଗତ ୨ ବର୍ଷରେ ରାଜ୍ୟ ସରକାର ୧,୩୮,୦୦୦ କୋଟି ଟଙ୍କା ଋଣ କରିଛନ୍ତି । ଓଡିଶାକୁ ଦେଶର ଏକ ନମ୍ୱର ରାଜ୍ୟ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ଅପାରଗ ପଣରେ ବିଜେପି ସରକାର ଏକ ନମ୍ୱର ହୋଇଛି । ଓଡ଼ିଶାର ରାଜନୀତି ଇତିହାସରେ ଆସିଥିବା ସମସ୍ତ ସରକାର ମାନଙ୍କ ଭିତରୁ ବିଜେପି ସରକାର ଅପାରଗପଣରେ ସବୁଠାରୁ ଆଗରେ ରହିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଅଢେଇ ବର୍ଷର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ସେହିପରି ନିତ୍ୟ ଆବଶ୍ୟକୀୟ ଜିନିଷର ଅହେତୁକ ଦର ବୃଦ୍ଧି, ଖଣିଜ ସମ୍ପଦର ହରିଲୁଟ୍, ବେକାରୀ ସମସ୍ୟା ବୃଦ୍ଧି, ଦାଦନ ସମସ୍ୟାରେ ବୃଦ୍ଧି ଇତ୍ୟାଦି କାରଣରୁ ରାଜ୍ୟବାସୀ ଅତିଷ୍ଟ ହେଲେଣି । ଫ୍ରାନ୍ସ ଜଳୁଥିବା ବେଳେ ଏହାର ଶାସକ ନୁ୍ୟରୋ ବଂଶୀ ବାଦନ କରୁଥିବା ସଦୃଶ୍ୟ ଓଡିଶାବାସୀ ବିଭିନ୍ନ ସମସ୍ୟାରେ ହନ୍ତସନ୍ତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ବିଳାସରେ ରହିବାକୁ ପସନ୍ଦ କରୁଛନ୍ତି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖବର କାଗଜ ଓ ହୋର୍ଡିଙ୍ଗ ମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ଦେଇ ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି ।










