ନୂଆଦିଲ୍ଲୀ : ହାଇଦ୍ରାବାଦ-ବେଙ୍ଗାଲୁରୁ ୪୪ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି । ଶନିବାର ଭୋର ପ୍ରାୟ ୪:୩୦ ସମୟରେ ପାଲାମାକୁଲା ଗ୍ରାମ ନିକଟରେ ଏକ ଦ୍ରୁତଗାମୀ ଇନୋଭା କାର୍ ନିୟନ୍ତ୍ରଣ ହରାଇ ପୋଲ ସହ ପିଟିହୋଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମହବୁବନଗର ଜିଲ୍ଲାର ନିଜ ଗାଁରେ ଗଣେଶ ବିସର୍ଜନ ଉତ୍ସବ ସାରି ସମସାବାଦ ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ମୃତକମାନେ ନୱାବପେଟ ମଣ୍ଡଳ ଚୌଦୁର ଗ୍ରାମର କେଥାବତ ଲିମ୍ବିଆ (୫୪), ତାଙ୍କ ସ୍ତ୍ରୀ କେଥାବତ ଜମୁନା (୪୫), କାତ୍ରାବତ ମାନସିଂହ (୪୮) ଏବଂ କେଥାବତ ବାସରାମ (୪୫) ବୋଲି ସମସାବାଦ ପୋଲିସ ସୂଚନା ଦେଇଛି। ଦୁର୍ଘଟଣାରେ ଗୁରୁତର ଆହାତ ଡ୍ରାଇଭର ସବାବତ ଅଶୋକଙ୍କୁ ସ୍ଥାନୀୟ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯାହାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉସ୍ମାନିଆ ଜେନେରାଲ ହସ୍ପିଟାଲକୁ ପଠାଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।










