ବାରଙ୍ଗ ନନ୍ଦନକାନନରେ ଖେଳିଛି ଖୁସିର ଲହରୀ । ନନ୍ଦନକାନନକୁ ଆସିଛନ୍ତି ଦୁଇ ନୂଆ ଅତିଥି । ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ମାୟା । ଆଉ ଏହା ସହ ନନ୍ଦନକାନନରେ ବଢ଼ିଛି ସିଂହଙ୍କ ସଂଖ୍ୟା । ସୂଚନା ଅନୁସାରେ, ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟା ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି । ନୂଆ ଅତିଥିଙ୍କ ଆଗମନକୁ ନେଇ ନନ୍ଦନକାନନରେ ଖୁସିର ମାହୋଲ । ମାୟା ଓ ତା’ର ଦୁଇ ଶାବକ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି । ନବଜାତ ଶାବକ ଦୁଇଟିର ଯତ୍ନ ନେଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଶାବକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖାଯାଉଛି । ଦୁଇ ନୂଆ ଶାବକଙ୍କ ଆଗମନ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ତେବେ ନନ୍ଦନକାନନରେ ଏହି ଦୁଇ ନୂଆ ଅତିଥିଙ୍କ ଆଗମନ ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ାଇଛି ।










