ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଥିବା ବେଳେ ଆହୁରି ୩ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ଆଜି ସାରା ରାଜ୍ୟରେ ବର୍ଷା ହେବାର ଆଶଙ୍କା ଥିବା ବେଳେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି ।
ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ସେପ୍ଟେମ୍ବର ୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହାପରେ ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ତେବେ ସେପ୍ଟେମ୍ବର ୨ ତାରିଖ ସକାଳ ସାଢ଼େ ୮ଟା ପରେ ରାଜ୍ୟରେ ବର୍ଷାର ପରିମାଣ ଧୀରେଧୀରେ କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।










