ନୂଆଦିଲ୍ଲୀ: ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା । ସ୍ୱାଧୀନତା ଦିବସ ଅବସରରେ ପୋଲିସ ,ଅଗ୍ନିଶମ, ଗୃହରକ୍ଷୀ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବାରେ ମୋଟ ୧୦୫୭ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯାଇଛି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୧୭ ଜଣଙ୍କୁ ମିଳଛି ପୋଲିସ ସେବା ପୁରସ୍କାର । ସେଥିରୁ ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି । ପ୍ରଶଂସନୀୟ ସେବା ପଦକ ପାଇଁ ୧୦ ଜଣ ମନୋନୀତ ହୋଇଛନ୍ତି । ଏଡିଜି ସଞ୍ଜୀବ ପଣ୍ଡା, ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତିଙ୍କ ପଦକ ମିଳିଛି । ସବଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ, କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ୩୦୧ଟି ସାହସିକତା ପଦକ ପୁରସ୍କାର ମଧ୍ୟରୁ ୨୭୨ଟି ପୋଲିସ କର୍ମଚାରୀଙ୍କୁ ଏବଂ ୨୯ଟି ଅଗ୍ନିଶମ ସେବା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ରାଷ୍ଟ୍ରପତିଙ୍କ ପଦକ ୯୨ ଜଣଙ୍କୁ ଦିଆଯାଇଛି । ପୋଲିସ ସେବାକୁ ୮୩, ଅଗ୍ନିଶମ ସେବାକୁ ୪, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ସେବାକୁ ୩, ସଂଶୋଧନ ସେବାକୁ ୨ଟି ମେଡାଲ ପ୍ରଦାନ କରାଯାଇଛି ।










