ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା କଲମ୍ବିଆ । ମାଟି ଥରିଲା, ଦୋହଲିଲା ବଡ଼ ବଡ଼ ଅଟ୍ଟାଳିକା । ଆଉ ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା ଅନେକ କୋଠା । ୭.୪ ତୀବ୍ରତାର ଏହି ଶକ୍ତିଶାଳୀ ଭୂମିକମ୍ପରେ ପଶ୍ଚିମ କଲମ୍ବିଆର ବିଭିନ୍ନ ଅଞ୍ଚଳରେ ଭୟଙ୍କର କ୍ଷୟକ୍ଷତି ହୋଇଛି । ମୃତ୍ୟୁସଂଖ୍ୟା ଅତି କମରେ ୧୧୧ରେ ପହଞ୍ଚିଥିବା ବେଳେ ୮୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି । ହଠାତ୍ ଦୋହଲିବାକୁ ଲାଗିଲା ମାଟି । କିଛି ସମୟ ମଧ୍ୟରେ ଚାରିଆଡ଼େ ଖେଳିଗଲା ଆତଙ୍କ। ଲୋକେ ଘରୁ ବାହାରି ରାସ୍ତାକୁ ଚାଲିଆସିଲେ । ଅନେକ ସ୍ଥାନରେ ଭୁଶୁଡ଼ି ପଡ଼ିଲା ବଡ଼ ବଡ଼ କୋଠା । ରାସ୍ତା ଉପରେ ପଡ଼ି ରହିଲା ଭଗ୍ନାବଶେଷ । କଲମ୍ବିଆର ପଶ୍ଚିମ ଅଞ୍ଚଳରେ ହୋଇଥିବା ୭.୪ ତୀବ୍ରତାର ଭୂମିକମ୍ପ ଚଳିତ ଶତାବ୍ଦୀରେ ଦେଶର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କଲମ୍ବିଆର ଭୂତତ୍ତ୍ୱ ସେବା କହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଚୋକୋ ଅଞ୍ଚଳର ସାନ୍ ହୋସେ ଡେଲ୍ ପାଲମାର ନିକଟରେ ।ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପେରେଇରା, କ୍ୱିବଡୋ, କାଲି ଓ ମାନିଜାଲେସ୍ ସହର । ଶତାଧିକ କୋଠା କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଛି।










