ରାଞ୍ଚି: ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କରି ଆଜି ଝାଡ଼ଖଣ୍ଡ ବନ୍ଦ । ଆଜି ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷା ବିବାଦକୁ ନେଇ ଛାତ୍ର ଆନ୍ଦୋଳନ ଏବେ ଆହୁରି ତୀବ୍ର ହୋଇଛି । ଗତକାଲି ରାଞ୍ଚିରେ ବିଧାନସଭା ଘେରାଉ ସମୟରେ ପୁଲିସର ଲାଠିଚାର୍ଜ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ବିଜେପି ‘ଝାଡ଼ଖଣ୍ଡ ବନ୍ଦ’ ଡାକରା ଦେଇଛି । ଛାତ୍ରମାନେ JPSC ଓ JSSC ପରୀକ୍ଷାରେ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରି ଦୀର୍ଘଦିନ ଧରି ଆନ୍ଦୋଳନ କରୁଛନ୍ତି ।
ସେମାନଙ୍କର ମୁଖ୍ୟ ଦାବି ହେଉଛି ମାମଲାର CBI ତଦନ୍ତ । ସରକାର ପୂର୍ବରୁ କିଛି ପରୀକ୍ଷା ବାତିଲ କରିବା ସହ ED ତଦନ୍ତ ପାଇଁ ସମ୍ମତି ଦେଇଥିଲେ ମଧ୍ୟ ଛାତ୍ରମାନେ CBI ତଦନ୍ତ ଦାବିରେ ଅଟଳ ରହିଛନ୍ତି । ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଛାତ୍ରମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସରକାର ଛାତ୍ରମାନଙ୍କ ଦାବିକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମାଧାନ ପାଇଁ କାମ କରୁଥିବା ସେ କହିଛନ୍ତି ।










