ନୟାଗଡ : ନୟାଗଡ ଜିଲ୍ଲା ଭାପୁର ଅଞ୍ଚଲରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଭାପୁର ବ୍ଲକ ଗୋଳା ପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରା । ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷୀଙ୍କୁ ଗତକାଲିଠାରୁ ସାଧାରଣ ଜ୍ୱର ହୋଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଏକ ଇଞ୍ଜେକ୍ସନ ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ହିଁ ସନ୍ତୋଷୀଙ୍କ ମୃତ୍ୟୁ ଘଟିଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ସେମାନେ ନିଜ ଝିଅକୁ ହରାଇଲେ ବୋଲି ବାପା ଗୋପାଳ ବେହେରା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଜଣେ ଉଦୀୟମାନ ଛାତ୍ରୀଙ୍କର ଏଭଳି ଅକାଳ ବିୟୋଗକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ପରିବାର ଲୋକେ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।










