ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲଲାଦ ଯୋଶୀ ।ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଓ ଇରାନର ଶିକ୍ଷା କ୍ଷେତ୍ରର ଉଚ୍ଚପଦସ୍ଥ ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ଶିକ୍ଷାମନ୍ତ୍ରୀ । ଶିକ୍ଷା, ଗବେଷଣା, କୌଶଳ ବିକାଶ ଓ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଦକ୍ଷିଣ ଆଫ୍ରିକାର ବେସିକ ଏଜୁକେସନ ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ ଉପମନ୍ତ୍ରୀଙ୍କ ସହ ବୈଠକରେ ମୌଳିକ ଓ ଉଚ୍ଚ ଶିକ୍ଷା, କୌଶଳ ବିକାଶ, ଗବେଷଣା, ନବସୃଜନ ଓ ଡିଜିଟାଲ ଲର୍ଣ୍ଣିଂ କ୍ଷେତ୍ରରେ ସହଯୋଗ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତର ସଫଳ କାର୍ଯ୍ୟକ୍ରମ ନିପୁଣ ଭାରତ, ପରଖ, ସ୍ୱୟମ ଓ ସମର୍ଥ ଭଳି ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ସେହିପରି ଇଣ୍ଡୋନେସିଆର ଉଚ୍ଚଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ବ୍ରାୟାନ ୟୁଲିଆର୍ଟୋଙ୍କ ସହ ବୈଠକରେ ଉଚ୍ଚଶିକ୍ଷା, ଗବେଷଣା, ନବସୃଜନ ଓ ଶିକ୍ଷାଗତ ଆଦାନ-ପ୍ରଦାନ ବୃଦ୍ଧି ନେଇ ଆଲୋଚନା ହୋଇଥିଲା।ଅନ୍ୟପଟେ ଇରାନର ବିଜ୍ଞାନ, ଗବେଷଣା ଓ ପ୍ରଯୁକ୍ତି ବିଭାଗର କାର୍ଯ୍ୟବାହୀ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଆଧାର କରି ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମତବିନିମୟ ହୋଇଛି। ଆଲୋଚନା ମାଧ୍ୟମରେ ଭାରତର ଶିକ୍ଷା, ଗବେଷଣା ଓ ନବସୃଜନ କ୍ଷେତ୍ରର ଆନ୍ତର୍ଜାତିକ ସହଯୋଗ ଆହୁରି ସୁଦୃଢ଼ ହେବ ଏବଂ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ।










