ଭୁବନେଶ୍ଵର: ବଙ୍ଗୋପସାଗରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ଅବପାତ । ଆଶନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ର ମଝିରେ ୨୭ରୁ ଉର୍ଦ୍ଧ୍ଵ ଆନ୍ଧ୍ର ମାଛଧରା ଟ୍ରଲର ଫସିଥିବା ସୂଚନା ମିଳିଛି । ବାରଣ ସତ୍ତ୍ଵେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇ ଫସିଥିବା କୁହାଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ଵାରା କିଛି ଟ୍ରଲର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପ୍ରତିକୂଳ ପାଗ ଓ ପ୍ରବଳ ଜୁଆର ଯୋଗୁଁ ଏହି ଆନ୍ଧ୍ରପ୍ରଦେଶର ଟ୍ରଲରଗୁଡ଼ିକ ଗଭୀର ସମୁଦ୍ରରେ ଆଗକୁ ବଢ଼ି ନପାରି ଅଟକି ରହିଛନ୍ତି । ପ୍ରଶାସନ ପକ୍ଷରୁ ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଏବଂ ସହାୟତା ଯୋଗାଇ ଦିଆଯାଉଛି । ସମ୍ଭାବ୍ୟ ବାତ୍ୟା କିମ୍ବା ଅଶାନ୍ତ ପାଗକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଥିଲା । ହେଲେ ବାରଣ ସତ୍ତ୍ଵେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇ ଫସିଥିବା କୁହାଯାଉଛି ।










