ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି I ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍ରେ ଆୟୋଜିତ ଏକ ବୈଠକର ଅଧ୍ୟକ୍ଷତା କରି ରାଜ୍ୟପାଳ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରି ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି I ଆର୍ମି ଏୟାର ଡିଫେନ୍ସ କଲେଜର ଆଧୁନିକ ପ୍ରୟୋଗଶାଳା ଗୁଡ଼ିକୁ ଓଡ଼ିଶାର ବିଭିନ୍ନ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ପରିଦର୍ଶନ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତି ଏବଂ ପ୍ରଚଳିତ ଗବେଷଣା ସହିତ ପରିଚିତ ହୋଇ ବ୍ୟବହାରିକ ଜ୍ଞାନ ଲାଭ କରିବେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବେ।
ଆର୍ମି ଏୟାର ଡିଫେନ୍ସ କଲେଜକୁ ଦେଶର ପ୍ରମୁଖ ପ୍ରତିରକ୍ଷା ତାଲିମ ପ୍ରତିଷ୍ଠାନ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହି ପ୍ରତିଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହିତ କରୁଛି। ଏହିପରି ଉଦ୍ୟମକୁ ସମର୍ଥନ ପ୍ରଦାନ କରିବା ଦ୍ୱାରା ଏହା ଦେଶର ପ୍ରତିରକ୍ଷା ଶକ୍ତିକୁ ଆହୁରି ମଜବୁତ କରିବ। ବୈଠକରେ ଆର୍ମି ଏୟାର ଡିଫେନ୍ସ କଲେଜ ଏବଂ ରାଜ୍ୟର ଶିକ୍ଷାପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ମଜବୁତ ଭାଗିଦାରୀ ଗଢ଼ିବା ଉପରେ ଆଲୋଚନା ହୋଇଥିଲା। ସବୁଜ କ୍ୟାମ୍ପସ ବିକାଶ, ମିଲିଟାରୀ ଷ୍ଟେସନ ମଧ୍ୟରେ ବୈଦ୍ୟୁତିକ ବସ ଏବଂ ରୋଗୀ ପରିବହନ ପାଇଁ ଲାଇଟ ବୈଦ୍ୟୁତିକ ଆମ୍ବୁଲାନ୍ସ ପରିଚାଳନା ପ୍ରସ୍ତାବଗୁଡ଼ିକର ସମୀକ୍ଷା କରାଯାଇଥିଲା। ଆର୍ମି ଏୟାର ଡିଫେନ୍ସ କଲେଜ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ବେସାମରିକ- ସାମରିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ।
ଏହି ବୈଠକରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ସହିତ ଏମଓୟୁ ସ୍ୱାକ୍ଷର କରି ସଶସ୍ତ୍ର ବାହିନୀ ସଦସ୍ୟଙ୍କୁ ଅଗ୍ରାଧିକାର ଚିକିତ୍ସା ସେବା, ଶହିଦଙ୍କ ପରିବାରଙ୍କୁ ଜମି କ୍ଷତିପୂରଣ, ଭୁବନେଶ୍ୱରରେ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ପରେଡ଼ରେ ସେନାର ଉପକରଣ କଣ୍ଟିଞ୍ଜେଣ୍ଟର ଅଂଶଗ୍ରହଣ, ଗଞ୍ଜାମ ଜିଲ୍ଲାରେ ବିଶେଷ ସହାୟତା ଆବଶ୍ୟକତା କରୁଥିବା ପିଲାଙ୍କ ଶିକ୍ଷା ଓ ପୁନର୍ବାସ ଏବଂ ଗୋପାଳପୁର ମିଲିଟାରୀ ଷ୍ଟେସନରେ ନିକଟସ୍ଥ ଗ୍ରାମର ନାଳି ପାଣି ପ୍ରବେଶ ସମସ୍ୟାର ସମାଧାନ ଆଦି ଉପରେ ଆଲୋଚନା ହୋଇଥିଲା।
ଆର୍ମି ଏୟାର ଡିଫେନ୍ସ କଲେଜର ବରିଷ୍ଠ ଅଧିକାରୀମାନେ ରାଜ୍ୟପାଳଙ୍କୁ ପ୍ରସ୍ତାବଗୁଡ଼ିକ ବିଷୟରେ ବିଶଦ ଭାବେ ଅବଗତ କରାଇଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ଅରବିନ୍ଦ କୁମାର ପାଢ଼ୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ରେଭେନ୍ୟୁ ଡିଭିଜନାଲ କମିଶନର (ଦକ୍ଷିଣାଞ୍ଚଳ), ଗଞ୍ଜାମ ଜିଲ୍ଲାପାଳ, ରାଜ୍ୟ ସରକାରୀ ଓ ବେସରକାରୀ ଉଦ୍ୟୋଗର ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।










