ଜିଲ୍ଲାପାଳଙ୍କୁ ବିଜେଡି ସ୍ମାରକପତ୍ର ପ୍ରଦାନ କରିବା ପରେ ପ୍ରଶାସନର ପଦକ୍ଷେପ
ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଜେଡିର ଦାବି
ଭୁବନେଶ୍ୱର: ବିଜେଡିର ହସ୍ତକ୍ଷେପ ଏବଂ ମାଲକାନଗିରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ପରେ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଧୂଳିପୁଟ ଗ୍ରାମପଞ୍ଚାୟତର ଜୁମଡାଙ୍ଗ ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଛି । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଏହାର ଉଦେ୍ଦଶ୍ୟ । ଗ୍ରାମବାସୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ପରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଶ୍ରୀ ମାନସ ମାଡକାମୀ ଜୁମଡାଙ୍ଗ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ କରିବାକୁ ଦାବି କରିଥିଲା ବିଜେଡି । ଏହାର ପରିଣାମ ସ୍ୱରୂପ ପ୍ରଶାସନ ଆଜି ଗ୍ରାମରେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରିଛି । ଆଜି ଆନ୍ଧ୍ର ପକ୍ଷରୁ କରାଯାଉଥିବା ପଞ୍ଚାୟତ ନିର୍ବାଚନରେ ଜୁମଡାଙ୍ଗ ଗ୍ରାମବାସୀ ଅଂଶଗ୍ରହଣ କରିବା ଉଚିତ ନୁହେଁ । ଆଜି ଜୁମଡାଙ୍ଗ ଗ୍ରାମକୁ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଗସ୍ତ କରି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ମୌଳିକ ସୁବିଧା ସହ କିଭଳି ଜନକଲ୍ୟାଣକାରୀ ଯୋଜନା ଜୁମଡାଙ୍ଗରେ ପହଞ୍ଚି ପାରିବ, ସେନେଇ ପ୍ରଶାସନ ନିକଟରେ ଦାବି ଜାରି ରହିବ । ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ମାନସ ମାଡକାମୀ, ଶ୍ରୀ ଦୁର୍ଗା ତ୍ରିପାଠୀ, ଶ୍ରୀ ସମାରୀ ଟାଗୁଲ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ, ଶ୍ରୀ ଜିତୁ ବୁରୁଡ଼ି, ଶ୍ରୀମତୀ ରାଜେଶ୍ୱରୀ ଖିଲ, ଶ୍ରୀ ବିକାଶ ମଣ୍ଡଳ, ଶ୍ରୀ ସଦାନନ୍ଦ ଖୋରା, ଶ୍ରୀ ରାମଚନ୍ଦ୍ର ଗାଗେଲଙ୍କ ସହ ବହୁ ବିଜେଡି ନେତା ସାମିଲ ଥିଲେ ।










