25.1 C
Bhubaneswar
Thursday, November 5, 2026
Homeଓଡିଶାରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରୀ

ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରୀ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସୂରଜ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ, ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାର କାର୍ଯ୍ୟକାରିତା, ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ଅଧୀନରେ ବିଭିନ୍ନ ପଦବୀ ପାଇଁ ଅନୁଷ୍ଠିତ ହେଉଥିବା ନିଯୁକ୍ତି ପରୀକ୍ଷା, ପିଏମ୍-ଉଷା ଅଧୀନରେ ଥିବା ପ୍ରକଳ୍ପର କାର୍ଯ୍ୟକାରିତା ଆଦି ବିଭିନ୍ନ ବିଷୟ ଉପରେ ସବିସ୍ତୃତ ସମୀକ୍ଷା କରିଥିଲେ। ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜ୍ଞାନୋଦୟ- କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ ଯୋଜନା ଲାଗୁ କରାଯାଇଛି। ଜ୍ଞାନୋଦୟ ଯୋଜନା ଲାଗୁ ହେବା ପରେ ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ)ରେ ଗତ ଶିକ୍ଷାବର୍ଷ ଠାରୁ ୧୪,୭୫୮ ଜଣ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ବିଗତ ବର୍ଷ ୧,୬୪,୧୭୯ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ)ରେ ନାମଲେଖାଇଥିବା ବେଳେ ଚଳିତ ବର୍ଷ ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ୧,୭୮,୯୩୭ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ) ରେ ନାମ ଲେଖାଇଛନ୍ତି। ଏଥିସହ ଜ୍ଞାନୋଦୟ ଯୋଜନା ଲାଗୁ ହେବା ପରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଡ଼ମିଶନ ପ୍ରତିଶତ ସର୍ବାଧିକ ରହିଛି। ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାରେ ୯୯.୦୯%, କୋରାପୁଟ ଜିଲ୍ଲାରେ ୯୮.୮୨%, ବଲାଙ୍ଗୀର ଜିଲ୍ଲାରେ ୯୫.୫୭%, ମାଲକାନଗିରି ଜିଲ୍ଲାରେ ୯୫.୩୭% ଏବଂ ନୂଆପଡ଼ା ଜିଲ୍ଲାରେ ୯୪.୬୪% ଆଡ଼ମିଶନ ପ୍ରତିଶତ ରହିଛି।

ସେହିପରି ଭାବେ ରାଜ୍ୟର ୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ୧୮ଟି ସରକାରୀ ଡିଗ୍ରୀ କଲେଜରେ ୧୮ ଟି ଅଧ୍ୟକ୍ଷ ପଦବୀ ରହିଥିବା ବେଳେ, ନୂତନ ପଦବୀ ସୃଷ୍ଟି ହେବା ପରେ ବର୍ତ୍ତମାନ ସମସ୍ତ ୬୬ଟି ସରକାରୀ ଡିଗ୍ରୀ କଲେଜରେ ୬୬ଟି ଅଧ୍ୟକ୍ଷ ପଦବୀ ରହିଛି। ୬୬ଟି ସରକାରୀ ଡିଗ୍ରୀ କଲେଜରେ ବିଭିନ୍ନ ବିଷୟରେ ଖାଲି ରହିଥିବା ୩୮୫ଟି ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ୍‌-୧) ପଦବୀ ପୂରଣ ପାଇଁ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ସେହିପରି ଭାବେ ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ବର୍ଗରେ ଖାଲି ପଡ଼ିଥିବା ୧୪୩୪ଟି ଶିକ୍ଷକ ପଦବୀ ପୂରଣ ପାଇଁ ବିଶ୍ୱବିଦ୍ୟାଳୟମାନଙ୍କ ତରଫରୁ ନିଯୁକ୍ତି ପ୍ରକ୍ରିୟା ଚାଲୁଅଛି।

ବିଶ୍ୱ ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ରାସ୍‌ନାଲାଇଜେସନ ପ୍ରକ୍ରିୟା ପରେ ୧୭ଟି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବର୍ଗରେ ୨୬୨ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ୬୯ଟି ଜୁନିୟର ଆସିଷ୍ଟାଣ୍ଟ, ୩୭ଟି ସିନିୟର ଆସିଷ୍ଟାଣ୍ଟ, ୧୭ଟି ସେକ୍ସନ ଅଫିସର, ୪୯ଟି ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌, ୩୦ଟି ଲାଇବ୍ରେରିଆନ୍‌, ୧୭ଟି ସିନିୟର ଲାଇବ୍ରେରିଆନ୍‌, ୦୨ଟି ଫିଜିକାଲ ଏଜୁକେସନ ଅଫିସର, ୧୦ଟି ଆସିଷ୍ଟାଣ୍ଟ ରେଜିଷ୍ଟାର, ୦୭ ଟି ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍‌, ୧୦ଟି ଆଡ଼ମିନିଷ୍ଟ୍ରେଟିଭ ଅଫିସର, ୦୨ ଟି ବଜେଟ୍-କମ୍- ଆକାଉଣ୍ଟ ଅଫିସର, ୦୪ଟି ଡେପୁଟି ରେଜିଷ୍ଟାର, ୦୮ ଟି ଡେପୁଟି କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍‌ ପଦବୀ ନୂତନ ଭାବେ ସୃଷ୍ଟି କରାଯାଇଛି। ସେହିପରି ଭାବେ ଗତ ୨ ବର୍ଷ ମଧ୍ୟରେ ଷ୍ଟେଟ୍ ସିଲେକ୍ସନ୍‌ ବୋର୍ଡ଼ ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ୨୮୦୦ରୁ ଉର୍ଦ୍ଧ୍ୱ ପଦବୀ ପାଇଁ ପରୀକ୍ଷା କରି ପରୀକ୍ଷା ଫଳ ପ୍ରକାଶ କରିଛି। ଚଳିତ ବର୍ଷ ବିଭିନ୍ନ ବର୍ଗରେ ଖାଲି ରହିଥିବା ୧୫୫୭ ଟି ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ୍‌ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆମ ସରକାରଙ୍କ ତରଫରୁ ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ଉଚ୍ଚଶିକ୍ଷାରେ ନାମଲେଖା ବୃଦ୍ଧି ହେବା ଏବଂ ବିଶେଷ ଭାବରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଡ଼ମିଶନ ପ୍ରତିଶତ ସର୍ବାଧିକ ରହିବା ଅତ୍ୟନ୍ତ ଖୁସିର ବିଷୟ। ଜ୍ଞାନୋଦୟ ଯୋଜନା ଲାଗୁହେବା ସହ ଆଜି ଉଚ୍ଚଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିପାରିଛି। ରାଜ୍ୟରେ ଏକ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ‘ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା’ ଲକ୍ଷ୍ୟକୁ ପୂରଣ କରାଯାଇପାରୁଛି। ଏଥିସହ ଉଚ୍ଚଶିକ୍ଷାନୁଷ୍ଠାନର ସୁପରିଚାଳନା ପାଇଁ ନୂତନ ପଦବୀ ସୃଷ୍ଟି ହେବା ସହ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି ଏବଂ ଏହି ପଦବୀ ସବୁକୁ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ରଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking