ଗଞ୍ଜାମ: ଋଣ କରି ଚାଷ କରିଥିଲେ, ହେଲେ ଅମଳ ପୂର୍ବରୁ ସବୁକିଛି ଛାରଖାର କରିଦେଲା ଲଗାଣ ବର୍ଷା । ଏହି ଫସଲ କ୍ଷତି ଯେମିତି ଯୁବ ଚାଷୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଲା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ର ନୂଆଗାଁ ଅଞ୍ଚଳର ବୁଲୁ ମଲ୍ଲିକ । ଋଣ କରି ନିଜର ଦୁଇ ଏକର ଜମିରେ ଧାନ ଓ ପରିବା ଚାଷ କରିଥିଲେ । ଫସଲ ଭଲ ହେବ, ଅମଳ ପରେ ଋଣ ସୁଝିବେ ଏବଂ ନିଜ ପରିଶ୍ରମର ଫଳ ପାଇବେ ବୋଲି ଆଶା ରଖିଥିଲେ । କିନ୍ତୁ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ତାଙ୍କର ଧାନ ଓ ପରିବା ଫସଲ ନଷ୍ଟ ହୋଇଯାଇଥିଲା ।ସବୁଠାରୁ ଦୁଃଖଦ କଥା ହେଉଛି, ବୁଲୁଙ୍କ ପରିବାରରେ ଆଉ କେହି ନଥିଲେ । ସେ ଏକାକୀ ଜୀବନ ବିତାଉଥିଲେ। ଫସଲ ନଷ୍ଟ ହେବା ପରେ ସେ ମାନସିକ ଚାପରେ ରହୁଥିବା ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ବୁଲୁ ଚାଉଳ ପୋକ ମାରିବା ପାଇଁ ବ୍ୟବହୃତ କୀଟନାଶକ ଔଷଧ ଖାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।










