27.1 C
Bhubaneswar
Friday, October 30, 2026
Homeଓଡିଶାଗଞ୍ଜାମ ଓ ଗଜପତିରେ ବନ୍ୟା ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ଫେଲ ମାରିଛି: ବିଜେଡି

ଗଞ୍ଜାମ ଓ ଗଜପତିରେ ବନ୍ୟା ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ଫେଲ ମାରିଛି: ବିଜେଡି

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାରେ ସରକାରଙ୍କ ବିଫଳତାକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେଡି ।ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ବିଧାନସଭାରେ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବିଜେଡି ଉପସଭାପତି ଶ୍ରୀ ପ୍ରତାପ ଜେନା, ସରକାରଙ୍କ ପ୍ରସ୍ତୁତି ଓ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ପ୍ରଶ୍ନ ଉଠାଇଥିଲେ ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଞ୍ଜାମ ଓ ଗଜପତିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ଯଦି ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥାନ୍ତେ, ତେବେ ଏପରି ଅବସ୍ଥା ହୋଇନଥାନ୍ତା । ବିଶେଷକରି ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନର ବ୍ୟବସ୍ଥା ଏବଂ ଦୁର୍ବଳ ନଦୀବନ୍ଧ ଗୁଡ଼ିକର ମରାମତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିଲା । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅବୈଧ ବାଲି ଉତ୍ତୋଳନ ଯୋଗୁଁ ଅନେକ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା, ଯାହାଫଳରେ ବନ୍ୟା ବିଭୀଷିକା ସୃଷ୍ଟି ହେଲା । ଅତ୍ୟଧିକ ବର୍ଷା ହେବା ନେଇ ଆଗୁଆ ସୂଚନା ଥିବା ସତ୍ତ୍ୱେ ସରକାର କାହିଁକି ଆଗୁଆ ପଦକ୍ଷେପ ନେଲେ ନାହିଁ ? ବନ୍ୟା ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇବା ଦେବା ପରିବର୍ତ୍ତେ ସରକାର ନିଜ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ନେଇ ସରକାର ଦାବି କରୁଛନ୍ତି । କିନ୍ତୁ ଉଦ୍ଧାର କାର୍ଯ୍ୟରେ କେତୋଟି ହେଲିକପ୍ଟର ନିୟୋଜିତ ହୋଇଥିଲା ଓ ବନ୍ୟା ବିପନ୍ନ ଲୋକଙ୍କୁ କେତେ ସହାୟତା ଯୋଗାଇ ଦିଆଇଯାଇଛି, ତାହା ସାର୍ବଜନୀନ କରନ୍ତୁ ସରକାର । ବନ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ରନ୍ଧାଖାଦ୍ୟା ପହଞ୍ଚାଇବା ସହ ରିଲିଫ ଓ ଥଇଥାନ ବ୍ୟବସ୍ଥାକୁ ତ୍ୱରାନିତ କରନ୍ତୁ ରାଜ୍ୟ ସରକାର ।

ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାର ହଜାର ହଜାର ଲୋକ ବନ୍ୟା ଯୋଗୁଁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ସରକାରଙ୍କ ପ୍ରସ୍ତୁତିକୁ ନେଇ ଦାବି ଓ ବାସ୍ତବ ସ୍ଥିତି ମଧ୍ୟରେ ଆକାଶପାତାଳ ପାର୍ଥକ୍ୟ ରହିଛି । ଅନେକ ବନ୍ୟା ବିପନ୍ନ ପରିବାର ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚିପାରିନାହିଁ । ସରକାର ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ବିନା ପକ୍ଷପାତିତାରେ ସହାୟତା ଯୋଗାଇ ଦିଅନ୍ତୁ । ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ସମୟୋଚିତ ଭାବେ ବଣ୍ଟନ କରାଯାଉ । ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର । ଦୁର୍ବଳ ନଦୀବନ୍ଧ ଗୁଡ଼ିକର ତୁରନ୍ତ ମରାମତି ଓ ସୁଦୃଢ଼ୀକରଣ କରାଯାଉ । ଅବୈଧ ବାଲି ଉତ୍ତୋଳନ କରି ନଦୀବନ୍ଧ କ୍ଷତିଗ୍ରସ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସରକାର ଯଦି ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ଅବହେଳା କରିବେ, ତେବେ ବିଜୁ ଜନତା ଦଳ ସରକାରଙ୍କ ବିରୋଧରେ ନିଜର ଗଣତାନ୍ତ୍ରିକ ଆନେ୍ଦାଳନକୁ ଆହୁରି ତୀବ୍ର କରିବ । ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ମନ୍ତ୍ରୀମାନେ ରାଜନୈତିକ ବିଚାରଧାରାରୁ ଊଦ୍ଧ୍ୱର୍ରେ ରହି ଗଞ୍ଜାମ ଓ ଗଜପତି ଜିଲ୍ଲାର ଲୋକଙ୍କ ସୁରକ୍ଷା, ଜୀବିକା ଓ ଥଇଥାନକୁ ପ୍ରାଥମିକତା ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking