ଭୁବନେଶ୍ବର : ବାତ୍ୟା ଅର୍ଣ୍ଣବ ପରେ ଉପୁଜିଥିବା ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଥିଲା । ଋଷିକୂଲ୍ୟାର ପୁରୁଷୋତ୍ତମପୁରରେ ୧୭.୯୪ ମିଟର ଜଳ ପ୍ରବାହିତ ହେଉଛି । ଯାହାକି ବିପଦ ସଙ୍କେତ ଉପରେ ରହିଛି । ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଆସିବ । ସୋରଡ଼ାରେ ୭୮.୪ ମିଟର ଜଳ ପ୍ରବାହିତ ହେଉଛି । ବାଲେଶ୍ଵରରେ ୭୧ ମିମି ଓ ଗଞ୍ଜାମରେ ୬୧ ମିମି ବର୍ଷା ହୋଇଛି । ବଂଶଧାରାରେ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ପାଣି ।
ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ମଧ୍ୟମ ଜଳଭଣ୍ଡାର ବନ୍ୟା ରୋକିବା ପାଇଁ ନିର୍ମାଣ ହୋଇନାହିଁ । ଏହା ଜଳସେଚନ ପାଇଁ ହୋଇଛି । ବର୍ଷାକୁ ଆଖି ଆଗରେ ରଖି ଆମେ ଡ୍ୟାମ୍ରୁ ପାଖାପାଖି ୬୦ ପ୍ରତିଶତ ପାଣି ଖାଲି କରିଦେଇଥିଲୁ । ବନ୍ଧର ସୁରକ୍ଷା ପାଇଁ କିଛି ପଦକ୍ଷେପ ନେଇଥିଲୁ । ଡ୍ୟାମ୍ରୁ ଛଡା ଯାଇଥିବା ପାଣିରେ ଜଳସ୍ତର ବଢିନାହିଁ । ଅଧିକ ବର୍ଷା ହୋଇଥିବାରୁ ଜଳସ୍ତର ବଢିଲା ।
ବର୍ତ୍ତମାନ ହୀରକୁଦରେ ବନ୍ୟା ସ୍ଥିତି ନାହିଁ । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୭ ଫୁଟ ରହିଛି । ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ । ଛତିଶଗଡ଼ରେ ଯେତିକି ବର୍ଷା ହୋଇଛି ହୀରାକୁଦକୁ ଦେଢ଼ ଲକ୍ଷ କ୍ୟୁସେକ ଜଳ ଆସିବ । ହୀରାକୁଦରେ ହିଁ ମ୍ୟାନେଜ କରିହେବ । କୌଣସି ଗେଟ୍ ଖୋଲିବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।










