25.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶଓଡ଼ିଶାରେ ଦୂରସଂଚାର ପେନ୍‌ସନ୍‌ଭୋଗୀଙ୍କ ପାଇଁ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଆରମ୍ଭ

ଓଡ଼ିଶାରେ ଦୂରସଂଚାର ପେନ୍‌ସନ୍‌ଭୋଗୀଙ୍କ ପାଇଁ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଆରମ୍ଭ

ଭୁବନେଶ୍ୱର: ପୂର୍ବ ପ୍ରସ୍ତୁତି ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହେବା ପରେ, ସଞ୍ଚାର ମନ୍ତ୍ରଣାଳୟ ଅଧୀନସ୍ଥ ଦୂରସଂଚାର ବିଭାଗର ଓଡ଼ିଶା ଦୂରସଂଚାର ପରିମଣ୍ଡଳର ନିୟନ୍ତ୍ରକ ସଞ୍ଚାର ଲେଖା (CCA) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ଦୂରସଂଚାର ଓ ବିଏସ୍ଏନ୍ଏଲ୍ ପେନ୍ସନ୍ଭୋଗୀ ତଥା ପରିବାର ପେନ୍ସନ୍ଭୋଗୀଙ୍କ ପାଇଁ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର (DLC) ଅଭିଯାନ-୫.୦ ଆରମ୍ଭ କରାଯାଇଛି। ଭାରତ ସରକାରଙ୍କ କାର୍ମିକ, ଜନ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ଅଧୀନସ୍ଥ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ (DoPPW)ଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଆୟୋଜିତ ହେଉଛି।

ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନର ଲକ୍ଷ୍ୟ ହେଉଛି ପେନ୍ସନ୍ଭୋଗୀଙ୍କ ପାଇଁ ସେବା ପ୍ରଦାନକୁ ଅଧିକ ସରଳ, ସୁଗମ ଓ ସୁବିଧାଜନକ କରିବା। ସ୍ୱତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜନ ସହିତ ଓଡ଼ିଶାର CCA କାର୍ଯ୍ୟାଳୟରେ ଏକ ‘ଜୀବନ ପ୍ରମାଣ କେନ୍ଦ୍ର’ ମଧ୍ୟ କାର୍ଯ୍ୟ କରୁଛି। ଏହି କେନ୍ଦ୍ରରେ ସମସ୍ତ କାର୍ଯ୍ୟଦିବସରେ ବର୍ଷସାରା ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲର ସୁବିଧା ଉପଲବ୍ଧ ରହିଛି।

ଅଭିଯାନ ପୂର୍ବ ପ୍ରସ୍ତୁତିର ଅଂଶସ୍ୱରୂପ, ଅଧିକରୁ ଅଧିକ ପେନ୍ସନ୍ଭୋଗୀଙ୍କ ନିକଟରେ ଏହି ସେବା ପହଞ୍ଚାଇବା ଏବଂ ସେମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏକାଧିକ ଡିଜିଟାଲ ଜୀବନ ପ୍ରମାଣପତ୍ର ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମର ସଫଳତା ପରେ ପେନ୍ସନ୍ଭୋଗୀମାନଙ୍କ ସକ୍ରିୟ ଅଂଶଗ୍ରହଣ ସହ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଆରମ୍ଭ ହୋଇଛି।

ଏହି ଅଭିଯାନ ଅଧୀନରେ ପ୍ରଥମ ଶିବିର ୨ ନଭେମ୍ବର ୨୦୨୬ ତାରିଖରେ ରାଉରକେଲାସ୍ଥିତ ବିଏସ୍ଏନ୍ଏଲ୍ର ମହାପ୍ରବନ୍ଧକ, ଦୂରସଂଚାର(GMTD)ଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏହା ପରେ ୩ ଓ ୪ ନଭେମ୍ବର ୨୦୨୬ ତାରିଖରେ ଓଡ଼ିଶା CCA କାର୍ଯ୍ୟାଳୟର ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ଦୁଇଦିନିଆ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର ଆୟୋଜିତ ହୋଇଥିଲା।

ଚାଲୁ ରହିଥିବା ଏହି ଅଭିଯାନର ଅଂଶସ୍ୱରୂପ, ନିମ୍ନଲିଖିତ ସ୍ଥାନଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପରବର୍ତ୍ତୀ ଶିବିରଗୁଡ଼ିକ ଆୟୋଜିତ ହେବ।

● ୧୦.୧୧.୨୦୨୬: ବ୍ରହ୍ମପୁର – ବିଏସ୍ଏନ୍ଏଲ୍ ମହାପ୍ରବନ୍ଧକ, ଦୂରସଂଚାର କାର୍ଯ୍ୟାଳୟ।
● ୧୧.୧୧.୨୦୨୬: ଫୁଲବାଣୀ – ବିଏସ୍ଏନ୍ଏଲ୍ ଦୂରସଂଚାର ମଣ୍ଡଳ ଅଧିକାରୀ (TDM)ଙ୍କ କାର୍ଯ୍ୟାଳୟ।
● ୧୩.୧୧.୨୦୨୬: କଟକ – ବିଏସ୍ଏନ୍ଏଲ୍ ପ୍ରଧାନ ମହାପ୍ରବନ୍ଧକ, ଦୂରସଂଚାର (Pr. GMTD)ଙ୍କ କାର୍ଯ୍ୟାଳୟ।
● ୧୬.୧୧.୨୦୨୬: ବଲାଙ୍ଗୀର – ବିଏସ୍ଏନ୍ଏଲ୍ ଦୂରସଂଚାର ମଣ୍ଡଳ ଅଧିକାରୀ (TDM)ଙ୍କ କାର୍ଯ୍ୟାଳୟ।
● ୧୭.୧୧.୨୦୨୬: ଢେଙ୍କାନାଳ – ବିଏସ୍ଏନ୍ଏଲ୍ ପ୍ରଧାନ ମହାପ୍ରବନ୍ଧକ, ଦୂରସଂଚାର (Pr. GMTD)ଙ୍କ କାର୍ଯ୍ୟାଳୟ।
● ୧୮.୧୧.୨୦୨୬: ଭୁବନେଶ୍ୱର – ବିଏସ୍ଏନ୍ଏଲ୍ ପ୍ରଧାନ ମହାପ୍ରବନ୍ଧକ, ଦୂରସଂଚାର (Pr. GMTD)ଙ୍କ କାର୍ଯ୍ୟାଳୟ।
● ୧୯.୧୧.୨୦୨୬: କୋରାପୁଟ – ବିଏସ୍ଏନ୍ଏଲ୍ ମହାପ୍ରବନ୍ଧକ, ଦୂରସଂଚାର (GMTD)ଙ୍କ କାର୍ଯ୍ୟାଳୟ।
● ୨୦.୧୧.୨୦୨୬: ଜଗତସିଂହପୁର – ବିଏସ୍‌ଏନ୍‌ଏଲ୍‌ ଉପଖଣ୍ଡ ଅଧିକାରୀ (SDO)ଙ୍କ କାର୍ଯ୍ୟାଳୟ।

ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିରରେ ଉପଲବ୍ଧ ସେବା

ଏହି ଶିବିରଗୁଡ଼ିକରେ ଯୋଗଦେଉଥିବା ପେନ୍ସନ୍ଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରସ୍ତୁତ କରିବାରେ ପ୍ରତ୍ୟକ୍ଷ ସହାୟତା ଯୋଗାଇ ଦିଆଯିବ। ଏଥିସହିତ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗର ସମାଧାନ, ପେନ୍ସନ୍ଭୋଗୀଙ୍କ ତଥ୍ୟ (KYP) ଅଦ୍ୟତନ ଏବଂ ପେନ୍ସନ୍ଭୋଗୀ ପରିଚୟପତ୍ର ପାଇଁ ଆବେଦନ ଗ୍ରହଣ ଆଦି ସେବା ମଧ୍ୟ ଉପଲବ୍ଧ ହେବ।

ଏହା ସହିତ, ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ‘ଜୀବନ ପ୍ରମାଣ’ ମୋବାଇଲ୍ ଆପ୍ରେ ଉପଲବ୍ଧ ମୁଖମଣ୍ଡଳ ଚିହ୍ନଟକରଣ (Face Authentication) ସୁବିଧା ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।

ଆବଶ୍ୟକୀୟ ଦସ୍ତାବିଜ ଓ ତଥ୍ୟ

ଶିବିରକୁ ଆସୁଥିବା ପେନ୍ସନ୍ଭୋଗୀମାନେ ନିମ୍ନଲିଖିତ ତଥ୍ୟ ଓ ଦସ୍ତାବିଜ ସାଙ୍ଗରେ ଆଣିବା ଆବଶ୍ୟକ:

● ପେନ୍ସନ୍ ପେମେଣ୍ଟ ଅର୍ଡର (PPO) ନମ୍ବର।
● ଆଧାର ନମ୍ବର।
● ଆଧାର ସହ ସଂଯୁକ୍ତ ସକ୍ରିୟ ମୋବାଇଲ୍ ନମ୍ବର ଥିବା ମୋବାଇଲ୍ ଫୋନ୍, ଯାହା ମାଧ୍ୟମରେ ସୁରକ୍ଷିତ OTP ପ୍ରମାଣୀକରଣ କରାଯାଇପାରିବ।
● ଅନ୍ୟାନ୍ୟ ତଥ୍ୟରେ ସଂଶୋଧନ କିମ୍ବା ଅଦ୍ୟତନ ଆବଶ୍ୟକ ହେଲେ, ସେ ସମ୍ବନ୍ଧୀୟ ଦସ୍ତାବିଜ ଓ ଫଟୋଗ୍ରାଫ୍।

ଓଡ଼ିଶାର ନିୟନ୍ତ୍ରକ ସଞ୍ଚାର ଲେଖା (CCA) କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଦୂରସଂଚାର ଓ ବିଏସ୍ଏନ୍ଏଲ୍ ପେନ୍ସନ୍ଭୋଗୀ ତଥା ପରିବାର ପେନ୍ସନ୍ଭୋଗୀମାନଙ୍କୁ ଏହି ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର ଏବଂ ଜୀବନ ପ୍ରମାଣ କେନ୍ଦ୍ର ମାଧ୍ୟମରେ ଉପଲବ୍ଧ ସୁବିଧାଗୁଡ଼ିକର ସଦୁପଯୋଗ କରିବାକୁ ଅନୁରୋଧ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking