28.3 C
Bhubaneswar
Friday, July 31, 2026
Homeଓଡିଶାମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳରେ ସତର୍କତା ବୃଦ୍ଧି ପାଇଁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ମହାନଦୀ ଅବବାହିକା ଓ ତଳିଆ ଅଞ୍ଚଳରେ ସତର୍କତା ବୃଦ୍ଧି ପାଇଁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରୁ ବୃଦ୍ଧି ପାଉଥିବା ଜଳ ନିଷ୍କାସନ ଏବଂ ମହାନଦୀ ଅବବାହିକାରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ରିଲିଫ୍ କମିଶନର (ଏସ୍‌ଆର୍‌ସି) ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ମହାନଦୀରେ ପ୍ରବାହିତ ଜଳର ପରିମାଣ ୮ ଲକ୍ଷ କ୍ୟୁସେକ୍ ଥିବା ବେଳେ ହୀରାକୁଦ ଡ୍ୟାମର ସମୁଦାୟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି l ଏହାକୁ ଦୃଷ୍ଟିରେ ରଖି ମହାନଦୀ ଓ ଏହାର ଉପନଦୀଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖିବା ସହ ତଳମୁଣ୍ଡ ଅଞ୍ଚଳର ସମସ୍ତ ବନ୍ୟାପ୍ରବଣ ଏବଂ ନିମ୍ନାଞ୍ଚଳରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନକୁ ନଦୀକୂଳ ଓ ବନ୍ଧଗୁଡ଼ିକରେ ବିଶେଷକରି ରାତ୍ରି ସମୟରେ ପୋଲିସ ସହାୟତାରେ ଚବିଶ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା, ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ବନ୍ୟାଜନିତ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ଏବଂ ନଦୀବନ୍ଧଗୁଡ଼ିକର ସ୍ଥିତି ଉପରେ ନିରନ୍ତର ନଜର ରଖି ବନ୍ଧ ଭାଙ୍ଗିଯିବା ଅଥବା ଜଳ ଲିକେଜ୍‌, କ୍ଷୟ କିମ୍ବା ଅନ୍ୟ କୌଣସି ବିପଦ ସଙ୍କେତ ଦେଖାଦେଲେ ତୁରନ୍ତ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ସମୟରେ ନଦୀ ଗର୍ଭ, ବାଲିଚର, ଘାଟ, ନିମ୍ନାଞ୍ଚଳ ଦ୍ୱୀପ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ନିୟାମକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମାଇକ୍‌, ସାଇରନ୍‌, ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆ, ସ୍ଥାନୀୟ କେବୁଲ ନେଟୱର୍କ୍ ଆଦି ମାଧ୍ୟମରେ ବ୍ୟାପକ ସଚେତନତା ପ୍ରଚାର କରି ନଦୀରେ ଗାଧୋଇବା, ମାଛ ଧରିବା, ଡଙ୍ଗା ଚଳାଚଳ, ବାଲି ଉତ୍ତୋଳନ ଓ ଅନ୍ୟାନ୍ୟ କାର୍ଯ୍ୟରୁ ବିରତ ରହିବାକୁ ଲୋକଙ୍କୁ ସତର୍କ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ମତ୍ସ୍ୟଜୀବୀ, ଡଙ୍ଗା ଚାଳକ ଏବଂ ବାଲି ଉତ୍ତୋଳନକାରୀଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ ଜାରି କରାଯିବ।

ପଶୁପାଳକମାନଙ୍କୁ ନଦୀଗର୍ଭ, ବାଲିଚର ଏବଂ ନିମ୍ନାଞ୍ଚଳରେ ପଶୁ ଚରାଇବାକୁ ନଦେବା ପାଇଁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ବିପଦପ୍ରବଣ ଅଞ୍ଚଳରୁ ଲୋକମାନଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ ନଦୀ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖି ଏହି ସମସ୍ତ ସୁରକ୍ଷା ବ୍ୟବସ୍ଥାର କଡ଼ା କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କୁହାଯାଇଛି।

ଏଥିସହ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC)କୁ ଚବିଶ ଘଣ୍ଟା କାର୍ଯ୍ୟକ୍ଷମ ରଖି ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ଏବଂ ଜଳସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ସମ୍ବନ୍ଧୀୟ ତତ୍କାଳ ସୂଚନା ଆଦାନପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସ୍ପେଶାଲ ରିଲିଫ୍ କମିଶନର୍ ଏହି ନିର୍ଦ୍ଦେଶକୁ “ଅତ୍ୟନ୍ତ ଜରୁରୀ” ଭାବେ ବିଚାର କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking