ମୁମ୍ବାଇ:ବଲିଉଡ୍ର ମହାନାୟକ ତଥା ବିଗ୍ ବି’ ଅମିତାଭ ବଚ୍ଚନଙ୍କୁ ବୋମା ଧମକ। ତାଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲସା’କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏକ ଧମକପୂର୍ଣ୍ଣ ଇମେଲ୍ ମାଧ୍ୟମରେ ଏହି ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ଅମିତାଭଙ୍କ ଘର ‘ଜଲସା’ ସମେତ ମୁମ୍ବାଇର ଅନ୍ୟ କିଛି ପ୍ରମୁଖ ସ୍ଥାନକୁ ମଧ୍ୟ ବୋମାରେ ଉଡ଼ାଇବାକୁ ଇମେଲ୍ରେ ଧମକ ଦିଆଯାଇଥିଲା। ଏହାପରେ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇପଡ଼ିଛନ୍ତି। ଜଲସା ସମେତ ଧମକରେ ଉଲ୍ଲେଖ ଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ଯାଞ୍ଚ କରାଯାଇଛି।ତେବେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି। ଧମକପୂର୍ଣ୍ଣ ଇମେଲ୍ କେଉଁଠାରୁ ଆସିଛି ଏବଂ ଏହା ପଛରେ କିଏ ରହିଛି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଅମିତାଭଙ୍କ ବାସଭବନ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।










