ଭୁବନେଶ୍ୱର: ଦେଶରେ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ, କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବ ଆଇନର ସଂଶୋଧନ ନିମନ୍ତେ ସଂସଦରେ ପାରିତ ଲାଗି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବିଜୁ ଜନତା ଦଳ ଏହା ଉପରେ ପ୍ରତିକ୍ରିୟା ଦେଇ କେବଳ ଆଇନ ପ୍ରଣୟନ ନୁହେଁ, ଏହାକୁ କଡା ଓ ପ୍ରଭାବଶାଳୀ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛି । ଏହାଛଡା, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିବା ମାମଲାରେ ବିଜେଡି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ।ବିଜୁ ଜନତା ଦଳ ତରଫରୁ ଆଜି ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି, ଗତ ୧୨ ବର୍ଷ ମଧ୍ୟରେ ଦେଶରେ ୧୫୦ରୁ ଅଧିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଏବଂ ଏହାକୁ ନେଇ ଦେଶବ୍ୟାପୀ ଅନେକ ପ୍ରତିବାଦ ଓ ଆନେ୍ଦାଳନ ମୁଣ୍ଡ ଟେକିଛି । ଏହି ଆନେ୍ଦାଳନ ସମଗ୍ର ଦେଶବାସୀଙ୍କୁ ପ୍ରଭାବିତ କରିଥିବା ବେଳେ, କିଛିଦିନ ତଳେ କେନ୍ଦ୍ର କ୍ୟାବିନେଟ୍ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪ରେ ସଂଶୋଧନକୁ ଅନୁମୋଦନ କରିଥିବା ବେଳେ ଆଜି ସଂସଦରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଆଗତ କରାଯାଇଛି । ଏହି ସଂଶୋଧନ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ଭଳି ଅନିୟମିତତା ପାଇଁ ଅଧିକ କଠୋର ଦଣ୍ଡ ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରହିଛି ।
ଡ ମହାନ୍ତି କହିଛନ୍ତି, କେବଳ ଆଇନ ପାରିତ କରିଦେଲେ ଏହି ସଙ୍କଟର ସମାଧାନ ହେବ ନାହିଁ । ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ରୋକିବା ଏବଂ ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ଆଇନର କଡ଼ା, ନିରପେକ୍ଷ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ବିଲ୍, ୨୦୨୪’କୁ ୨୦୨୪ ଡିସେମ୍ୱର ୬ ତାରିଖରେ ବିଧାନସଭାରେ ପାରିତ କରିଥିଲା । କିନ୍ତୁ “ଡବଲ୍ ଇଞ୍ଜିନ୍’ ସରକାର ଅମଳରେ ଗତ ଦୁଇ ବର୍ଷ ମଧ୍ୟରେ ୨୩ଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଏହି ଘଟଣାଗୁଡ଼ିକରେ ଜଣେ ହେଲେ ମଧ୍ୟ ଦୋଷୀଙ୍କୁ ଦଣ୍ଡିତ କରାଯାଇନାହିଁ । ଏହା ପ୍ରମାଣ କରୁଛି ଯେ, କେବଳ କଠୋର ଆଇନ ତିଆରି କରିବା ଯଥେଷ୍ଟ ନୁହେଁ, ଆଇନକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବା ସହିତ ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।ଡ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବା ପରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜେଡି ସଭାପତି ତଥା ବିଧାନସଭାର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ପ୍ରସଙ୍ଗରେ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ।










