25.6 C
Bhubaneswar
Tuesday, July 21, 2026
Homeଓଡିଶାରାଜ୍ୟରେ ସାର ସଙ୍କଟ - ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କୁ ଧୋକା

ରାଜ୍ୟରେ ସାର ସଙ୍କଟ – ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କୁ ଧୋକା

ଭୁବନେଶ୍ୱର:ଏବେ ରାଜ୍ୟରେ ମୌସୁମୀ ସକ୍ରିୟ । ରୁଆ ବେଉଷଣ କାର୍ଯ୍ୟର ଅଗ୍ରଗତି ପାଇଁ ଚାଷୀ ପାଗ ଭିଡିଥିବା ବେଳେ ସରକାର ସାର ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ଅସମର୍ଥତାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଓପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା, ଓପିସିସି କିଷାନ ବିଭାଗ ଅଧ୍ୟକ୍ଷ ଅଭୟ ସାହୁ, ଓପିସିସି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ, ଅଧିକ ଫସଲ ଅମଳ ପାଇଁ ସାରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ଠିକଣା ସମୟରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇଦେବାରେ ଏହି ସରକାର ସମ୍ପୂର୍ଣ୍ଣ ଅସମର୍ଥ । ସାର ପାଇଲେ ଉତ୍ପାଦନ ବଢ଼ିବ । ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୩୧ଶହ ଟଙ୍କା ଦେବା ସରକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଚତୁରତାର ସହିତ ସାର ଯୋଗାଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ସରକାର ନିଷ୍ପତ୍ତି କରିଥିଲେ ମାର୍କଫେଡ ତରଫରୁ ସବୁ ସୋସାଇଟ ଜରିଆରେ ଚାଷୀଙ୍କୁ ୬୦ ପ୍ରତିଶତ ସାର ଯୋଗାଇ ଦିଆଯିବ । କିନ୍ତୁ ଏବେ ଫଳ ଓଲଟା । ବହୁ ସୋସାଇଟରେ ତାଲା ଝୁଲୁଛି ।

ଆଧାର କାର୍ଡ ସହିତ ବିଧିବଧ ପ୍ରମାଣପତ୍ର ନ ଦେଖାଇଲେ ଚାଷୀ ସାର ପାଉନାହିଁ । ଚାଷ ତରତର ବଣିଜ ମଠ । ଯଦି ଚାଷୀ ଠିକଣା ସମୟରେ ୟୁରିଆ, ପଟାସ, ଗ୍ରୋମର ସାର ନ ପାଇ ପାରିବେ ତେବେ କରିବେ କଣ? ଅନ୍ୟ ପଟେ ଚାଷୀଙ୍କୁ ସହଜରେ ସାର ଯୋଗାଇବା ପରିବର୍ତ୍ତେ ଉପମୁଖ୍ୟମନ୍ତ୍ରୀ କୃଷି ବିଭାଗରେ ଥାଇ ସ୍ୱାସ୍ଥ୍ୟ ପାଇଁ ଫସଲରେ ରାସାୟନିକ ସାର ହିତକର ନୁହେଁ ବୋଲି ମନ୍ତବ୍ୟ ଦେବା ଏବଂ ସମବାୟ ମନ୍ତ୍ରୀ ଯଥେଷ୍ଟ ସାର ମହଜୁଦ ଅଛି, କେଉଁଠି କଳାବଜାରୀ ହେଉନାହିଁ କହିବା ଅତ୍ୟନ୍ତ କ୍ଷୋଭର ବିଷୟ । ମାନ୍ୟବର ସମବାୟ ମନ୍ତ୍ରୀ ଚାଷୀଙ୍କ ବାସ୍ତବ ସମସ୍ୟାକୁ ଗମ୍ଭୀରତା ସହିତ ବିଚାରକୁ ନେଇ ଚାଷୀ କିପରି ଆବଶ୍ୟକ ମୁତାବକ ସାର ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ମୂଲ୍ୟରେ ପାଇ ପାରିବେ ସେ ଦିଗରେ ଉଦ୍ୟମ କରନ୍ତୁ ବୋଲି କଂଗ୍ରେସ ନେତୃବୃନ୍ଦ ଦାବୀ କରିଛନ୍ତି । ଓଡ଼ିଶା ରାଜ୍ୟ ପାଇଁ ବିଭିନ୍ନ ସାରର ପ୍ରାୟ ୧୨ଲକ୍ଷ ମେଟ୍ରିକ୍ ଟନର ଆବଶ୍ୟକତା ରହିଛି । କିନ୍ତୁ ସରକାର ପୂର୍ବ ବର୍ଷର ଗଚ୍ଛିତ ସାରକୁ ମିଶାଇ ଏବର୍ଷର ଖରିଫ୍ ପାଇଁ ସାର ଯୋଗାଇବାକୁ ଚତୁରତାର ସହିତ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଚଞ୍ଚକତାର ଏକ ପରିଚୟ ବୋଲି କହିବା ସହ ସରକାରଙ୍କ ଚାଷୀମାରଣ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଓ ସରକାର ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରନ୍ତୁ ବୋଲି କହିଛନ୍ତି । ଯଦି ସରକାର ଅବିଳମ୍ବେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଠିକଣା ସମୟରେ ଚାଷୀଙ୍କୁ ସାର ଯୋଗାଇ ପାରିବେ ନାହିଁ କଂଗ୍ରେସ ଦଳ ତରଫରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଚାଷୀ ଆନ୍ଦୋଳନ ପ୍ରତି ପଞ୍ଚାତୟସ୍ତରରେ ଦୁର୍ବାର କରାଯିବ ବୋଲି ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଉଭୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking