25.6 C
Bhubaneswar
Tuesday, July 21, 2026
Homeଓଡିଶାଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (Eastern Regional Police Coordination Committee–ERPCC)ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs), କେନ୍ଦ୍ରୀୟ ପୋଲିସ ସଂଗଠନ (CPOs) ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକର ପ୍ରାରମ୍ଭରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ସମସ୍ତ ପ୍ରତିନିଧି ଓ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସମନ୍ୱୟ ବୈଠକ ଆୟୋଜନର ଦାୟିତ୍ୱ ଓଡ଼ିଶା ପୋଲିସକୁ ପ୍ରଦାନ କରିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।ନିଜ ସ୍ୱାଗତ ଅଭିଭାଷଣରେ ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ, ବର୍ତ୍ତମାନ ସମୟରେ ସଂଘଟିତ ଅପରାଧ, ସାଇବର ଅପରାଧ, ମାଦକ ଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ (LWE) ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟର ସୀମା ମଧ୍ୟରେ ସୀମିତ ନୁହେଁ। ଏହି ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟ ଶୈଳୀର ପ୍ରମୁଖ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଦିନିକିଆ ବୈଠକରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କର ନିୟମିତ ଅନୁଧ୍ୟାନ ଓ ପୁନର୍ବାସ, ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ମିଳିତ ଅଭିଯାନ, ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ତ୍ୱରିତ ସୂଚନା ବିନିମୟ, ଜିରୋ ଏଫ୍‌ଆଇଆର୍ (Zero FIR) ର ଶୀଘ୍ର ହସ୍ତାନ୍ତର ଓ ସମୟସୀମା ମଧ୍ୟରେ ତଦନ୍ତ, ରେଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଏବଂ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ସମେତ ବିଭିନ୍ନ ସମସାମୟିକ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ଆନ୍ତଃରାଜ୍ୟ ଅପରାଧୀମାନଙ୍କ ବିରୋଧରେ ମିଳିତ ଅଭିଯାନ, ଗୁଇନ୍ଦା ସୂଚନାର ରିୟଲ୍-ଟାଇମ୍ ବିନିମୟ, ପ୍ରଯୁକ୍ତିଭିତ୍ତିକ ପୋଲିସିଂ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଅଧିକ ସମନ୍ୱିତ କାର୍ଯ୍ୟପଦ୍ଧତି ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।ଭବିଷ୍ୟତରେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ପାଇଁ ନିୟମିତ ବ୍ୟବଧାନରେ ଏଭଳି ସମନ୍ୱୟ ବୈଠକ ଆୟୋଜନ କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା।

ବୈଠକ ଶେଷରେ ଡିଜିପି ଶ୍ରୀ ଖୁରାନିଆ ଆଶା ପ୍ରକାଶ କରିଥିଲେ ଯେ, ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏବଂ ସୁପାରିଶଗୁଡ଼ିକ ପୂର୍ବ ଭାରତରେ ଆଇନଶୃଙ୍ଖଳାର ସୁଦୃଢ଼ୀକରଣ, ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ଏବଂ ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର୍. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ) ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତିଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking