ନୂଆଦିଲ୍ଲୀ: କୋଲକାତାରେ ପୁଣି ଥରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ଗାରିଆ ଅଞ୍ଚଳର ଜଣେ ୧୦ ବର୍ଷର ବାଳକ କୋଭିଡ୍-୧୯ରେ ସଂକ୍ରମିତ ହୋଇ ପିଅରଲେସ୍ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲ ସୂତ୍ର ଅନୁଯାୟୀ, ବାଳକଟି ଜ୍ୱର, କାଶ ଓ ଶ୍ୱାସକ୍ରିୟାରେ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ସନ୍ଦେହ ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା। ପରୀକ୍ଷାରେ ଡାହାଣ ଫୁସଫୁସରେ ହାଲୁକା ନିମୋନିଆ ମଧ୍ୟ ଚିହ୍ନଟ ହୋଇଛି ।
ଡାକ୍ତରମାନଙ୍କ କହିବା ଅନୁଯାୟୀ, ବାଳକକୁ ଆଇସୋଲେସନରେ ରଖାଯାଇ ସହାୟକ ଚିକିତ୍ସା, ନେବୁଲାଇଜର ଓ ଆବଶ୍ୟକ ଔଷଧ ଦିଆଯାଉଛି। ତାଙ୍କ ମାଆଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କର କୋଭିଡ୍ ପରୀକ୍ଷା କରାଯିବ । ଶିଶୁରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ପିଲାମାନଙ୍କ ମଧ୍ୟରେ ଜ୍ୱର, କାଶ ଓ ଥଣ୍ଡା ଭଳି ଲକ୍ଷଣ ଦେଖାଯାଉଛି। ତେବେ କୋଭିଡ୍କୁ ନେଇ ଅଯଥା ଭୟଭୀତ ନହୋଇ ସତର୍କ ରହିବା ଆବଶ୍ୟକ।
ଏପଟେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ନୂଆ କୋଭିଡ୍ ସଂକ୍ରମଣ ଚିହ୍ନଟ ହେଉଛି। ଆନ୍ଧ୍ରପ୍ରଦେଶରେ ନୂଆ ସବ୍-ଭାରିଆଣ୍ଟ ‘ସିକାଡା’ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ବର୍ଷା ଦିନରେ ଯଦି ଜ୍ୱର, ଗଳା ଦରଜ, କାଶ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ କୋଭିଡ୍ ପରୀକ୍ଷା କରାଇବା ଉଚିତ ।










