ନୂଆଦିଲ୍ଲୀ: ପୁଣିଥରେ ଚିନ୍ତା ବଢାଇଛି କୋଭିଡ ସଂକ୍ରମଣ । ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ କୋଭିଡ ମାମଲା ବୃଦ୍ଧି ପାଉଥିବା ବେଳେ କାକିନାଡାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡିଛି । ନୂଆକରି ୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ବିଶାଖାପାଟଣାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ମାମଲାଗୁଡିକର ମଧ୍ୟ ନୀରିକ୍ଷଣ କରାଯାଉଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ୍ଡପା ରିମ୍ସ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ୱାର୍ଡ ଖୋଲାଯାଇଛି । ଆବଶ୍ୟକ ଔଷଧ, ବେଡ୍, ଅକ୍ସିଜେନ୍ ଓ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି । ସଂକ୍ରମଣକୁ ନେଇ ଅଯଥା ଭୟଭୀତ ନହେବାକୁ, କିନ୍ତୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।










