ବୁର୍ଲା: ଭିମ୍ସାରର ଷ୍ଟେୱାର୍ଡ ସୁପରିଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଛିଦିନ ତଳେ ଭିଜିଲାନ୍ସ ପକ୍ଷରୁ ଅଶ୍ୱିନୀ ମେହେରଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ତାଙ୍କ ନାମରେ ଓ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି, ନଗଦ ଟଙ୍କା, ସୁନା ଅଳଙ୍କାର, ବ୍ୟାଙ୍କ ଜମା ଏବଂ ବହୁ ଅଚଳ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଥିଲା ।ତଦନ୍ତ ସମୟରେ ତାଙ୍କ ଆୟ ତୁଳନାରେ ସମ୍ପତ୍ତିର ପରିମାଣ ଅସ୍ୱାଭାବିକ ଭାବେ ଅଧିକ ଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଥିଲା । ଏହାପରେ ଆବଶ୍ୟକ ପ୍ରମାଣ ସଂଗ୍ରହ କରି ଅଶ୍ୱିନୀ ମେହେରଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ ଭିମ୍ସାର ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଥିବାବେଳେ, ଭିଜିଲାନ୍ସ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି ।










