କେନ୍ଦୁଝର: କେନ୍ଦୁଝର ସଦର ପୁଲିସ୍ ମଙ୍ଗଳବାର ଭୋର ସମୟରେ ଏକ ଚଢ଼ାଉ ଅଭିଯାନରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରବାତ ମଲ୍ଲିକଙ୍କୁ ଏନକାଉଣ୍ଟର କରିଛି । ସେ ୪୦ରୁ ଅଧିକ ଡକାୟତି, ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ୍ କହିଛି । ଅଭିଯୁକ୍ତ ୮.୧୮ ଲକ୍ଷ ଟଙ୍କାର ସଶସ୍ତ୍ର ଡକାୟତିରେ ସମ୍ପୃକ୍ତି ସ୍ୱୀକାର କରିଥିଲେ । ପରେ ମହୁଲଡିହା ଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଟଙ୍କା ଏବଂ ଅନ୍ୟ ସାମଗ୍ରୀ ଉଦ୍ଧାର ସମୟରେ ସେ ଏକ ଦେଶୀ ବନ୍ଧୁକ ବାହାର କରି ପୁଲିସ୍ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି ।ଆତ୍ମରକ୍ଷା ପାଇଁ ପୁଲିସ୍ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ । ପରେ ତାଙ୍କୁ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି । ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଓ ଡକାୟତି ସମ୍ପର୍କିତ ନଗଦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ବିଏନଏସ ଓ ଅସ୍ତ୍ର ଆଇନ ଅନୁଯାୟୀ ନୂଆ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି ।










