ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର । ପ୍ରଖ୍ୟାତ ସୁଟିଂର ତଥା ଓଲିମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କ କୋଚ୍ ଯଶପାଲ୍ ରାଣାଙ୍କ ପରଲୋକ ଘଟିଛି । ୪୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଅସୁସ୍ଥତା କାରଣରୁ ଯଶପାଲ୍ ରାଣା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରାଯାଇନଥିଲା । ଆଜି ସେ ଚିରବିଦାୟ ନେଇଛନ୍ତି ।ଯଶପାଲ୍ ରାଣା ଭାରତୀୟ ଶୁଟିଂ ଇତିହାସର ଏକ ଚର୍ଚ୍ଚିତ ନାମ ଥିଲେ। ଏକାଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ଜିତି ଦେଶର ଗୌରବ ବଢ଼ାଇଥିଲେ । ଖେଳାଳି ଜୀବନ ପରେ ସେ କୋଚ୍ ଭାବେ ନୂଆ ପିଢ଼ିର ଶୁଟରମାନଙ୍କୁ ପ୍ରଶିକ୍ଷଣ ଦେଇ ଅନେକ ପ୍ରତିଭା ସୃଷ୍ଟି କରିଥିଲେ । ବିଶେଷକରି ଭାରତର ଷ୍ଟାର୍ ଶୁଟର ମନୁ ଭାକରଙ୍କ ସଫଳତା ପଛରେ ଯଶପାଲ୍ ରାଣାଙ୍କ ଅବଦାନ ଅତୁଳନୀୟ ।









