କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧିନ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଚିଠି ଲେଖି ଆଗାମୀ ୭ ଦିନ ଭିତରେ ଭେଟିବା ପାଇଁ ସୁଯୋଗ ମାଗିଛନ୍ତି ଚାମେଲି । ଏଥି ସହିତ ସେ ସବୁ ପ୍ରମାଣ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ଜୀବନ ପ୍ରତି ବିପଦ ଅଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଆହୁରି କହିଛନ୍ତି, ୨୦୧୭ ମସିହାରୁ ବିଜେପିରେ ଜଣେ ଶୃଙ୍ଖଳିତ ସଦସ୍ୟା ଭାବେ କାର୍ଯ୍ୟ କରି ଆସିଛୁ । ଦଳର ହିତ ପାଇଁ ସବୁବେଳେ କାର୍ଯ୍ୟ କରିଛି । କିନ୍ତୁ ମୁଁ ଜଣେ ଝିଅ ହୋଇଥିବାରୁ ଦଳ ପାଇଁ କାର୍ଯ୍ୟ କରିବା ସମୟରେ ମହାକାଳପଡାର ଆମ ବିଧାୟକ ମୋ ଠାରୁ ଅନେକ କିଛି ପାଇବାକୁ ଆଶା ରଖିଥିଲେ, କିନ୍ତୁ ମୁଁ ସମ୍ମାନ ରକ୍ଷା କରି ଆଶା ପୂରଣ କରିବାରେ ସଫଳ ହୋଇପାରିଲି ନାହିଁ । ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ହେଉ ନାହିଁ ବୋଲି ମୁଁ ବ୍ୟକ୍ତିଗତ ଭାବେ ବିଡିଓଙ୍କୁ ଭେଟିବାରୁ ବିଧାୟକଙ୍କ କଥା ଆଗ ବୁଝ ବୋଲି ବିଡିଓ ଅନେକ ଥର କହିଛନ୍ତି ।
ଗତକାଲି ମୁଁ ଏବଂ ଆଉ କିଛି ସରପଞ୍ଚ ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ କଲୁ । ବିଡିଓ ଅଭିଯୋଗ ପଢିବା ପରେ ସଭା ଗୃହରେ ଥିବା କିଛି ଲୋକଙ୍କୁ ଡାକି ଚରିତ୍ର ସଂହାର କରି ମାଡ ମାରିଲେ । ସେମାନେ ଛବିରାଣୀ ଭଳି ଟେକି ନେଇ ଗଣ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି । ତାପରେ ଡରିଯାଇ ସବୁ ଭିଡିଓ ଲାଇଭ କରିଥିଲି । ପରେ ପୋଲିସ ଆସି ମୋତେ ଏବଂ ମୋ ଭାଇଙ୍କୁ ଉଠାଇ ନେଇଥିଲା । ପୋଲିସ ଗାଡିରେ ତିନି ଜଣ କନଷ୍ଟେବଳ ମୋ ଛାତି ଆଉ ପିଠିକୁ ମାଡମାରି ମୋବାଇଲ ଫୋନ ଛଡାଇ ନେଲେ । ଥାନାରେ ମହାକାଳପଡା ଆଇଆଇସି କଟୁ ଭାଷା କହି ମିଛ କେସରେ ମୋ ଭାଇ ଏବଂ ମୋତେ ଜେଲରେ ପୂରେଇବେ ବୋଲି କହି ଧମକ ଦେଲେ । ମୋ ଉପରେ ରାଗ ସୁଝାଇବାକୁ ତିଖିରୀ ପଞ୍ଚାୟତରେ ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ସରକାରୀ ଜାଗାରେ ଜନସେବା କେନ୍ଦ୍ର ଖୋଲିଛନ୍ତି । ଏହାକୁ ଭାଙ୍ଗିବାକୁ ବିଧାୟକ ପ୍ରଶାସନକୁ ପଠାଇଲେ ଯାହାକୁ ମୁଁ ବିରୋଧ କରିଥିଲି । ତାପରେ ଏସବୁ ସ୍ଥିତି ଦେଖିବାକୁ ମିଳୁଛି ।ହାତ ଯୋଡି ନିବେଦନ କରି ଚାମେଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ କହିଛନ୍ତି ଯେ, ଥାନାରେ ଦେଇଥିବା ଏତଲା ଆଧାରରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମୋ ଜୀବନ ପ୍ରତି ବିପଦ ଅଛି, ବ୍ୟକ୍ତିଗତ ଭାବେ ସବୁ ତଥ୍ୟ ପ୍ରମାଣ ମୁଁ ଦେବାକୁ ଚାହେଁ । ମୁଖ୍ୟମନ୍ତ୍ରୀଙ୍କୁ ୭ ଦିନ ଭିତରେ ଭେଟିବାର ସୁଯୋଗ ମାଗିଛନ୍ତି ଚାମେଲି ।










