ଭୁଵନେସ୍ୱର: ଆକାଶରୁ ବର୍ଷୁଛି ନିଆଁ । ଜଳୁଛି ପୂରା ଓଡ଼ିଶା । ପ୍ରବଳ ଖରା ଗରମରେ ସନ୍ତୁଳି ହେଉଛନ୍ତି ଉପକୂଳରୁ ଉପାନ୍ତ। ସବୁଠି ଅସହ୍ୟ ତାତି । ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅଣାୟତ୍ତ କରୁଛି । ଟାଇଁଟାଇଁ ଖରା ସହ ଗୁଳୁଗୁଳି ଅଧିକ ବାଧୁଛି । ଅପରାହ୍ନରେ ଖରା କମୁଥିଲେ ବି ଗୁଳୁଗୁଳି କିନ୍ତୁ କମିବାର ନାଁ ନେଉଛି । ଫଳରେ ଯେତିକି ତାପମାତ୍ରା ଅଛି ତାଠୁ ଅଧିକ ହିଟ୍ ଇଣ୍ଡେକ୍ସ ରହୁଛି ଓ ବେଶି ଗରମ ଅନୁଭବ ହେଉଛି । ଝାରସୁଗୁଡ଼ାରେ ତ ସ୍ଥିତି ଅଣାୟତ୍ତ । ଶିଳ୍ପ ପାଇଁ ପରିଚିତ ଝାରସୁଗୁଡ଼ା, ଆଜି ଅସହ୍ୟ ତାତି, ଝାଞ୍ଜି ପବନ ଏବଂ ବାରମ୍ବାର ବିଦ୍ୟୁତ କାଟରେ ଅତିଷ୍ଠ ହୋଇପଡ଼ିଛି । ପାଣିପାଗ ବିଭାଗ କହୁଛି, ଆଉ କିଛି ଦିନ ମଧ୍ୟରେ ରାଜ୍ୟକୁ ଛୁଇଁବ ମୌସୁମୀ । ତାତି କମିବ । ଲୋକଙ୍କ ଜୀବନ ସୁଧୁରିବ ହେଲେ ସେହି ଆଉ କିଛି ଦିନ ରେ ଝାରସୁଗୁଡ଼ାବାସୀ ଆହୁରି ସନ୍ତୁଳି ହେଉଛନ୍ତି ।









