ନୂଆଦିଲ୍ଲୀ: ଗୁରୁବାର ଦିନ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପରିବାର ପ୍ରତି ପତ୍ନୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ସେମାନଙ୍କୁ ଗୃହିଣୀ ପରିବର୍ତ୍ତେ ରାଷ୍ଟ୍ର ନିର୍ମାତା ଭାବରେ ଉଲ୍ଲେଖ କରାଯିବା ଉଚିତ୍। ପାରିବାରିକ ଆୟର କ୍ଷତି ସମ୍ପର୍କରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କର ଏକ ଖଣ୍ଡପୀଠ କହିଛନ୍ତି ଯେ, ମୋଟର ଦୁର୍ଘଟଣା ଦାବିରେ କ୍ଷତିପୂରଣ ପ୍ରଦାନ ପାଇଁ ଘରର ଦେଖାଶୁଣାର କ୍ଷତିକୁ ଏକ ଅତିରିକ୍ତ ଆଧାର ଭାବରେ ବିବେଚନା କରାଯିବ। ଏହି ରାୟ ଗୃହିଣୀଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ମାମଲାରେ ପ୍ରଦାନ କରାଯାଇଛି। କୋର୍ଟ କହିଛନ୍ତି, ଘରେ କାମ କରୁଥିବା ମହିଳାମାନେ ଅଫିସ ଯାଇ ଘର ଚଳାଇବା ପାଇଁ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁନ୍ତି। ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଜଣେ ଗୃହିଣୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ଭାବରେ ସେମାନଙ୍କ ଅବଦାନକୁ ଆକଳନ କରିବା କଷ୍ଟକର। ଜଣେ ଗୃହିଣୀ ମାସକୁ ଅତି କମରେ ୩୦ ହଜାର ଟଙ୍କାର ଘରକାମ କରିଥାନ୍ତି।କୋର୍ଟ କହିଛନ୍ତି, ସଡ଼କ ଦୁର୍ଘଟଣା ମାମଲାରେ ଗୃହିଣୀଙ୍କର ଆନୁମାନିକ ଆୟ ତାଙ୍କ କାମ, ଶ୍ରମ ଏବଂ ତ୍ୟାଗ ଉପରେ ଆଧାର କରି ମୂଲ୍ୟାଙ୍କନ କରାଯିବା ଉଚିତ୍। ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି, ଜଣେ ଗୃହିଣୀଙ୍କ ଭୂମିକା ସ୍ଥିର ଆୟ ଥିବା ପରିବାରର ଅନ୍ୟ ସଦସ୍ୟଙ୍କ ପରି ଗୁରୁତ୍ୱପୂର୍ଣ୍ଣ।










