ନୂଆଦିଲ୍ଲୀ: ଇଥାନଲ୍କୁ ପରିବହନ କ୍ଷେତ୍ରର ଭବିଷ୍ୟତ ଇନ୍ଧନ ଭାବେ ଉପସ୍ଥାପନ କରିବାକୁ ସରକାର ମନ ସ୍ଥିର କରିଛନ୍ତି। ସେଥିପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି। ଅଧିକ ଇଥାନଲ୍ ମିଶିଥିବା ପେଟ୍ରୋଲ ଉପରୁ ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଉଚ୍ଛେଦ କରିଛନ୍ତି। ଇ-୨୨, ଇ-୨୫, ଇ-୨୭ ଓ ଇ-୩୦ ତେଲ ଉପରେ ଏହି ନିଷ୍ପତ୍ତି ଲାଗୁ ହୋଇଛି। ଇ-୨୨ର ତେଲର ଅର୍ଥ ହେଉଛି ସେଥିରେ ୨୨ ପ୍ରତିଶତ ଇଥାନଲ ଓ ୭୮ ପ୍ରତିଶତ ପେଟ୍ରୋଲ ରହୁଛି। ସେହିପରି ‘ଇ’ ସହ ଯେଉଁ ସଂଖ୍ୟା ଲେଖାଥିବ, ସେଥିରେ ସେତିକି ପ୍ରତିିଶତ ଇଥାନଲ ଓ ଅବଶିଷ୍ଟ ପେଟ୍ରୋଲ ରହିଥିବ।ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଲୋକମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ଦେବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୧୦ ଟଙ୍କା କମ୍ କରିଥିଲେ। ଏବେ ସେହି ଧରଣର ସୁବିଧା ଅନ୍ୟ ପ୍ରକାର ଇନ୍ଧନକୁ ମଧ୍ୟ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଭବିଷ୍ୟତରେ ଇ୮୫ ଓ ଇ୧୦୦ ତେଲ ଆଣିବାକୁ ମଧ୍ୟ ଯୋଜନା ରଖିଛନ୍ତି। ଇଥାନଲ ଜରିଆରେ ଅଶୋଧିତ ତେଲ ଆମଦାନି ନିର୍ଭରଶୀଳତା କମ୍ କରିବା ଉପରେ ସରକାର କାମ କରୁଛନ୍ତି। କିଛି ଦିନ ତଳେ ଦେଶର ଦୁଇ ପ୍ରମୁଖ ଗାଡ଼ି ନିର୍ମାତା ମାରୁତି ସୁଜୁକି ଓ ହିରୋ ମୋଟୋକର୍ପ ତରଫରୁ ଇଥାନଲ୍ରେ ଚାଲୁଥିବା ଗାଡ଼ି ମଡେଲ୍ ଉନ୍ମୋଚନ କରାଯାଇଥିଲା। ଆଗାମୀ ଦିନରେ ସେହି ଧରଣର ଅଧିକରୁ ଅଧିକ ଗାଡ଼ି ଆସିବ। ସେହି ଗାଡ଼ିଗୁଡ଼ିକରେ ଫ୍ଲେକ୍ସ-ଫୁଏଲ୍ ଇଞ୍ଜିନ ବ୍ୟବହାର କରାଯାଇଛି ଯାହା ଇଥାନଲ୍ରେ ଚାଲିପାରିବ।










