31.9 C
Bhubaneswar
Thursday, June 11, 2026
Homeଓଡିଶାକ୍ରୀଡ଼ା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ; ୧୨ଟି ବିଭାଗରେ ୨୫ ଜଣ ପ୍ରଶିକ୍ଷକ (କୋଚ୍) ମନୋନୀତ

କ୍ରୀଡ଼ା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ; ୧୨ଟି ବିଭାଗରେ ୨୫ ଜଣ ପ୍ରଶିକ୍ଷକ (କୋଚ୍) ମନୋନୀତ

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ତଥା ସୁଦକ୍ଷ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ୧୨ଟି ଭିନ୍ନଭିନ୍ନ କ୍ରୀଡ଼ାର ବିଭାଗ ପାଇଁ ୨୫ ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତି କ୍ରୀଡ଼ା ବିଭାଗର ଏକ ଉଲ୍ଲେଖନୀୟ ସଫଳତା ; କାରଣ ଏହା ପୂର୍ବରୁ ରାଜ୍ୟରେ ଶେଷ ଥର ପାଇଁ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହାରେ କୋଚ୍ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ୨୦୨୫ ମସିହାରେ ୧୬ଟି ବିଭିନ୍ନ ବିଭାଗରେ ୩୮ଟି ଖାଲି ଥିବା ପ୍ରଶିକ୍ଷକ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୁବ୍ୟବସ୍ଥିତ ଚୟନ ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ କୋଚ୍‌ଙ୍କୁ ବଛାଯାଇଛି। ସେହିପରି ଏହି ନିଯୁକ୍ତିରେ ୯ ଜଣ ମହିଳା କୋଚ୍ ସାମିଲ୍ ହେବା ପ୍ରଶିକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ଲୋକାଭିମୁଖୀ କରିଛି l

ନବନିଯୁକ୍ତ ପ୍ରଶିକ୍ଷକ ମାନେ ନିମ୍ନଲିଖିତ ୧୨ଟି ବିଭାଗରେ ଦକ୍ଷତା ହାସଲ କରିବେ –

* ଆଥଲେଟିକ୍ସ, ହକି, ଏବଂ ସନ୍ତରଣ
* ଭାରୋତ୍ତୋଳନ, କୁସ୍ତି, ଏବଂ ଜିମ୍ନାଷ୍ଟିକ୍ସ
* ଫୁଟବଲ୍, ବାସ୍କେଟବଲ୍, ଏବଂ ଟେବୁଲ୍ ଟେନିସ୍
* ଫେନ୍‌ସିଂ, କବାଡି, ଏବଂ ଖୋ-ଖୋ

ଏହି ନିଯୁକ୍ତି ହେଉଛି ଓଡ଼ିଶାର ସଫଳ ପ୍ରଦର୍ଶନ ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ରଣନୀତିକ ପଦକ୍ଷେପ। ସାରା ରାଜ୍ୟରେ ଯୋଗ୍ୟ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରି ରାଜ୍ୟ ସରକାର ଉନ୍ନତମାନର କୋଚିଂର ବ୍ୟବସ୍ଥା କରିବା, ପ୍ରାଥମିକସ୍ତରରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଏକ ସୁଦୃଢ଼ ବିକାଶର ପଥ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ଭାବେ ମନୋନୀତ ହୋଇଥିବା ଜୁନିୟର କୋଚ୍‌ମାନଙ୍କ ମଧ୍ୟରେ ଆଥଲେଟିକ୍ସ ପାଇଁ ଚିନ୍ମୟ ରଞ୍ଜନ ଜେନା, ଆଶିଷ କୁମାର ପ୍ରଧାନ, ଝିଲ୍ଲୀ ବାରିକ, ସାହିଦ ଜାମିଲ ରିଜଭି ଏବଂ ଅଞ୍ଜନା ମୁଖୀ; ହକି ପାଇଁ ସୁଜିତ ଲାକ୍ରା, ପ୍ରଫୁଲ୍ଲ ତିର୍କୀ, ରାଜେଶ ଓରାମ, ହୃଷିକେଶ ଲାକ୍ରା ଏବଂ ରେଶ୍ମା ଲାକ୍ରା; ଭାରୋତ୍ତୋଳନ ପାଇଁ ସଚିନ ରାଉତ, ଲକ୍ଷ୍ମଣ ଚେଟ୍ଟି ଏବଂ କିରଣ କୁମାରୀ ଦିଗାଲ; ଏବଂ ସନ୍ତରଣ ପାଇଁ ଚିନ୍ତନ କୁମାର ନାୟକ ଓ ଈଶ୍ୱର ପ୍ରସାଦ ବାରିକ ସାମିଲ ଅଛନ୍ତି। ଏହାସହିତ ଫୁଟବଲ୍ ପାଇଁ ଶାଶ୍ୱତ କୁମାର ସ୍ୱାଇଁ, ବାସ୍କେଟବଲ୍ ପାଇଁ ଶୁଭଶ୍ରୀ ସାହୁ ଓ ପ୍ରସନ୍ନ କୁମାର ନାୟକ, ଖୋ-ଖୋ ପାଇଁ ଆକାଶ ରଣା, ଜିମ୍ନାଷ୍ଟିକ୍ସ ପାଇଁ ରମେଶ ଚନ୍ଦ୍ର ବେହେରା, କବାଡି ପାଇଁ ବିଦୁପ୍ରଭା ସ୍ୱାଇଁ, ଟେବୁଲ୍ ଟେନିସ୍ ପାଇଁ ଅମୃତା ପ୍ରୀତମ ପାଢ଼ୀ, ଫେନ୍‌ସିଂ ପାଇଁ କରିଶ୍ମା ରାଉତ, ଭଲିବଲ୍ ପାଇଁ ସାହିଲ ଦ୍ୱିବେଦୀ ଏବଂ କୁସ୍ତି ପାଇଁ ରମ୍ଭା ସାହୁ ଏମାନଙ୍କ ସହ ଯୋଗ ଦେଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ, ଓଡ଼ିଶାକୁ ଏକ ପ୍ରମୁଖ କ୍ରୀଡ଼ା ହବ୍‌ ରେ ପରିଣତ କରିବା ଏବଂ ସମସ୍ତ ଜିଲ୍ଲାର କ୍ରୀଡ଼ାବିତମାନେ ଯେପରି ସର୍ବୋତ୍ତମ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପାଇପାରିବେ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking