ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ନିର୍ମାଣାଧୀନ ତିନି ରଥରେ ଚାରି ନାହାକା ଉଠିପାରିଛି। ଏଥିସହ ଦଣ୍ଡା, ଗରଗରା, ସାଲଗୁଜ, କୁଡ଼ୁକା, ଜଳଯନ୍ତ୍ର, ନିରାଡ଼ି ସଂଯୋଗ ଶେଷ ହୋଇଛି। ପୋଲ ଗୟଳ ମୋଡ଼ା ଶେଷ ହୋଇଛି। ସେଥିରେ କଣ୍ଟା ବାଡ଼ିଆ ଯାଇଛି। ଶନିବାର ତିନି ରଥରେ ୪୨ ଯୋଖା ଲଗାଇବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଭୂଇଁ ସଂଯୋଗ ପାଇଁ ଛ’ କାଠି ପ୍ରସ୍ତୁତ କରାଯାଇଛି। ପ୍ରଥମ ଭୂଇଁ, ଦ୍ବିତୀୟ ଭୂଇଁ ଓ ତୃତୀୟ ଭୂଇଁ ଉଠିବ। ଚଳିତ ବର୍ଷ ଯୋଡ଼ା ଜ୍ୟେଷ୍ଠ ଯୋଗୁଁ ରଥ ନିର୍ମାଣ ପାଇଁ ଅଧିକ ଏକମାସ ସମୟ ମିଳିଛି। ରବିବାର ଭୂଇଁ ଉଠିବାର ସମ୍ଭାବନା ରହିଛି। ଏହାପରେ ୧୪ ନାହାକା ସଂଯୋଗ ପାଇଁ ପ୍ରସ୍ତୁତି କରାଯିବ। ରଥ ନିର୍ମାଣ କାର୍ଯ୍ୟରେ ଏପର୍ଯ୍ୟନ୍ତ ୨୦୫ ମହାରଣା, ଭୋଇ, ରୂପକାର, କମାର, କରତି, ବିନ୍ଧ କାରିଗର ଯୋଗ ଦେଇଛନ୍ତି। ଏହାପରେ ଦରଜି ସେବକ ରଥକନା ସିଲେଇ କରିବେ। ଚିତ୍ରକରଙ୍କ ଦ୍ବାରା ସାରଥି, ପାର୍ଶ୍ୱ ଦେବଦେବୀ, ସିଂହାସନ ଆଦି ଚିତ୍ର କରାଯିବ।










