ଭୁବନେଶ୍ୱର: ଆଉ ମାତ୍ର ୪ରୁ ୫ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଓଡ଼ିଶାରେ ସ୍ବାଭାବିକ ଭାବେ ମୌସୁମି ବାୟୁ ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାରେ ମୌସୁମି ଆଗମନ ସ୍ବାଭାବିକ ବୋଲି ଧରି ନିଆଯିବ। ପାଣିପାଗ ବିଭାଗର ସୂଚନାନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ ସହିତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଆଉ କେତେକ ଅଞ୍ଚଳରେ ପ୍ରବେଶ କରିବ। ତେଲଙ୍ଗାନା ଓ ତାମିଲନାଡୁ ରାଜ୍ୟର କିଛି ସ୍ଥାନରେ ମୌସୁମି ଛୁଇଁବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କିଛି ସ୍ଥାନକୁ ମୌସୁମି ପ୍ରବେଶ କରିବା ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ରର ଆଉ କିଛି ଅଞ୍ଚଳ, କର୍ଣ୍ଣାଟକ ରାଜ୍ୟର ଆଉ କିଛି ସ୍ଥାନ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମି ବାୟୁ ପ୍ରବେଶ କରିପାରେ। ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳ ସହ ପଶ୍ଚିମବଙ୍ଗ ଏବଂ ସିକ୍କିମ ରାଜ୍ୟରେ ମୌସୁମି ବାୟୁ ପାଦ ଥାପିବାର ସମ୍ଭାବନା ରହିଛି। ଜୁନ୍ ୬ ସୁଦ୍ଧା ମୌସୁମି ବାୟୁ ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, କର୍ଣ୍ଣାଟକର ଆଉ କିଛି ସ୍ଥାନକୁ ପ୍ରବେଶ କରିଛି। ସମ୍ପୂର୍ଣ୍ଣ ଗୋଆ ରାଜ୍ୟକୁ ମୌସୁମି ବ୍ୟାପି ସାରିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁର କେତେକ ଅଞ୍ଚଳକୁ ମୌସୁମି ଅଗ୍ରସର ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ମିଜୋରାମ, ମଣିପୁର ରାଜ୍ୟର କିଛି ଅଞ୍ଚଳକୁ ମୌସୁମି ଅଗ୍ରସର ହୋଇଛି।










