କଲ୍ୟାଣସିଂହପୁର : କଲରାପତରିଆ ବାଘ ଛାଲ କିଣାବିକା ସମୟରେ ମାଡି ବସିଲା ବନ ବିଭାଗ। ଘଟଣାରେ ୮ଜଣଙ୍କୁ ଗିରଫ କରାଯିବା ସହ ବାଘଛାଲ ଜବତ କରାଯାଇଛି। ଘଟଣା ଅନୁସାରେ ବାଘଛାଲ ଚାଲାଣ ନେଇ ଡିଏଫଓ କୌଣସି ସୂତ୍ରରୁ ଖବର ପାଇ କଲ୍ୟାଣସିଂହପୁର ରେଞ୍ଜ ଶିକରପାଇ ସେକ୍ସନ ଅନ୍ତର୍ଗତ ରିଭଲକଣା ବିଟରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଚଢ଼ାଉ କରିଛନ୍ତି। ବାଘଛାଲ ଡ଼ିଲ ହେଉଥିବା ବେଳେ ଜଙ୍ଗଲ ବଭାଗ କର୍ମଚାରୀ ମାନେ ୮ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ବାଘ ଚମଡା ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ହେଲେ କଳାହାଣ୍ଡି ଜିଲ୍ଲା ରାକ୍ସି ଗ୍ରାମର ମୁନୁଜ ମାଝୀ, ଲାଞ୍ଜିଗଡ଼ ଥାନା ପାହାଡ଼ପଦର ଗ୍ରାମର ଜିତେନ୍ଦ୍ର ବେନିଆ, ଟିଟିଝୋଲା ଗ୍ରାମର ଇଜେ ରାଓ ସାହୁ, ରାୟଗଡା ଜିଲ୍ଲା ରିଭଲକଣା ଗ୍ରାମର ଭରତ ନାଚିକା, କୈଳାସ ଜାନି, ବଡଚାମ୍ପିଆ ଗ୍ରାମର ସୀମାଦ୍ରୀ ତାଡିଙ୍ଗି, ପ୍ରଶାନ୍ତ କାଡ୍ରାକା, କରିନିପାଡ଼ୁ ଗ୍ରାମର ଧାର୍ମା ପାତିକା। ଏହି ଚଢ଼ାଉରେ କଳାହାଣ୍ଡି ଓ ରାୟଗଡା ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ତଦନ୍ତ ପାଇଁ ରାୟଗଡା ଅଣାଯାଉଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଅଣାଯାଇଛି ସେ ନେଇ ସ୍ପଷ୍ଟ ହେବ। ଏହି ଚଢ଼ାଉରେ ରାୟଗଡା ରେଞ୍ଜର ଅନୀଲ ପାଣିଗ୍ରାହି, କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡା, ଗୌରୀ ଶଙ୍କର ସାହୁ, ରବି ଚନ୍ଦ୍ର ପାତ୍ର ଓ ଶିବ ଶଙ୍କର ମହାପାତ୍ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।










