ଖୋର୍ଦ୍ଧା: ଖୋର୍ଦ୍ଧା ଝିଲ୍ଲା ଟାଙ୍ଗୀ ବ୍ଲକରେ ଏବିଡିଓଙ୍କୁ ଅରିନ୍ଦମ ରାୟ ଏବଂ ଅଭୟ ବାରିକ ବ୍ଲକ ଭିତରେ ନାଲି ଆଖି ଦେଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଟାଙ୍ଗୀ ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ ଆନ୍ଦୋଳନ କରିଛନ୍ତି । କାର୍ଯ୍ୟାଳୟକୁ ନ ଯାଇ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଛନ୍ତି । ଅନ୍ୟପଟେ ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ମଧ୍ୟ ୨ ନେତାଙ୍କୁ ଗିରଫ ଦାବିରେ ପ୍ରତିବାଦ କରିଛନ୍ତି । ବ୍ଲକ ପରିସର ସମ୍ପୁର୍ଣ୍ଣ ପୋଲିସ ଛାଉଣୀ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଡିଏସପି ଏବଂ ଟାଙ୍ଗି ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି । ଟାଙ୍ଗୀ-ଚୌଦ୍ବାର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକକୁ ନୂତନ ଭାବେ ଚୟନ କରାଯାଇଥିବା ‘ଆତ୍ମା’ ଅଧ୍ୟକ୍ଷଙ୍କୁ ଡକାନଯିବା ଘଟଣାରେ ହାଙ୍ଗାମା କରିଥିଲେ ବିଜେପି ନେତା। ଆଠଗଡ଼ର ବିଜେପି ନେତା ଅଭୟ ବାରିକ ଓ ଟାଙ୍ଗୀ-ସାଲେପୁରର ବିଜେପି ନେତା ଅରିନ୍ଦମ ରାୟ ଆଜି ସେମାନଙ୍କର ସମର୍ଥକଙ୍କ ସହିତ ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ବିଡିଓ ଏନ୍.ଏନ୍.ରାଜଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ଏବିଡିଓ ଶାଶ୍ବତ ଜେନା ବିଜେପି ନେତାଙ୍କୁ ସାମନା କରିବା ସମୟରେ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।










