ଝାରସୁଗୁଡା: ଗତକାଲି ବିଳମ୍ବିତ ରାତିରେ ବେଲପାହାଡ ଥାନା କରଲାଖମନ ନିକଟରେ ପୁଲିସ ସହ ଦୁଇ କୁଖ୍ୟାତ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ବାବୁ ବନଛୋର ଏବଂ ଚାନ୍ଦ ବନଛୋର ଆହତ ହୋଇଛନ୍ତି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଗତକାଲି ବେଲପାହାଡରେ ରାହୁଲ ମାହାତୋଙ୍କୁ ହୋଇଥିବା ହତ୍ୟାରେ ଏହି ଦୁଇ ଯୁବକ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ଉଭୟେ ବୁର୍ଲା ଥାନା ୱାନ ଆର କଲୋନିର । ଏମାନେ ହତ୍ୟାକାଣ୍ଡ ପରେ ସୁନ୍ଦରଗଡ ଜିଲ୍ଲା କମିରା ପଟକୁ ଫେରାର ମାରୁଥିବା ବେଳେ ପୋଲିସ ପିଛା କରିଥିଲା । ଫଳରେ ଉଭୟେ ପ୍ରଥମେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ହେଲେ ଏଥିରେ କେହି ମୃତାହତ ହୋଇନଥିଲେ । ପୁଲିସର ପାଲଟା ଗୁଳିରେ ଉଭୟେ ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।










