ପୁରୀ : ମଇ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟକ୍ରମ ନିମନ୍ତେ ୯ ଦିନ ଧାର୍ଯ୍ୟ କରାଯାଇଛି। ଆଜି (ସୋମବାର) ଓ ଆସନ୍ତାକାଲି (ମଙ୍ଗଳବାର) ବ୍ୟତୀତ ଅନ୍ୟ ୭ ଦିନ ଏହି ଗଣତି କାର୍ଯ୍ୟକ୍ରମ ହେବ। ଆଜି ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ମଇ ମାସର ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ଗଣତି ହେବ। ସୂଚନାଯୋଗ୍ୟ, ପ୍ରାୟ ୫୦ ବର୍ଷ ପରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଚଳନ୍ତି ଭଣ୍ଡାର (ନିତ୍ୟ ବ୍ୟବହାର ନିମନ୍ତେ ରଖାଯାଇଥିବା ଅଳଙ୍କାର ଆଦି) ଓ ବାହାର ଭଣ୍ଡାର (ପୂଜା ଆଦିରେ ବ୍ୟବହାର ନିମନ୍ତେ ରଖାଯାଇଥିବା ଅଳଙ୍କାର ଓ ସାମଗ୍ରୀ ଆଦି)ର ଗଣତି ମଣତି ଅନୁଷ୍ଠିତ ହୋଇଯାଇଛି। ଏହାପରେ ଚଳିତ ବର୍ଷ ଅପ୍ରିଲ୍ ୧୪ ତାରିଖରୁ ଭିତର ଭଣ୍ଡାର କେବଳ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚନ୍ଦନଯାତ୍ରା ଆରମ୍ଭ ହେବା ପୂର୍ବରୁ କେବଳ ୨୦ ପ୍ରତିଶତ ଅଳଙ୍କାର ଓ ସାମଗ୍ରୀର ଗଣତି ହୋଇପାରିଥିଲା।










