ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଆସାମରେ ଶପଥ ଗ୍ରହଣ ଉତ୍ସବ । ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ବିଜେପିର ବରିଷ୍ଠ ନେତା ତଥା ବହୁ କେନ୍ଦ୍ରୀୟ ମନ୍ତ୍ରୀ । ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଠାରେ ଉପସ୍ଥିତ ରହିବେ । କେବଳ ରାଜନେତା ନୁହଁନ୍ତି, ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗ ଜଗତର ପ୍ରତିନିଧିମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯାଇଛି । ଆସନ୍ତା ମେ’ ୧୨ ତାରିଖରେ ଅନୁଷ୍ଠିତ ହେବ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ । ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।
ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାବେଳେ ଏହାକୁ ଏକ ବଡ଼ ଧରଣର ଉତ୍ସବ ଭାବେ ପାଳନ କରିବାକୁ ବିଜେପି ଶିବିର ପ୍ରସ୍ତୁତ ରହିଛି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ପ୍ରୋଟୋକଲ୍ ସମ୍ପର୍କରେ ବିସ୍ତୃତ ଆଲୋଚନା । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମକୁ କିଭଳି ଶୃଙ୍ଖଳିତ କରାଯାଇପାରିବ, ସେ ନେଇ ଗୁରୁତ୍ୱ ଦିଆଯାଇଛି ।










