ମୟୁରଭଞ୍ଜ: ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି । ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସମ୍ମୁଖରେ ଗରା ବାଲଟି ଧରି ଧାରଣାରେ ବସିଲେ ମହିଳା। ଉଦଳା ଠାରେ ଚାଲିଥିବା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସାମ୍ନାରେ ଦେଖାଯାଇଛି ଏଭଳି ଘଟଣାଖବର ଅନୁସାରେ, କପ୍ତିପଦା ବ୍ଲକ ଗଡ଼ସାହି ୬ ନମ୍ବର ୱାର୍ଡରେ ବସବାସ କରୁଥିବା ୭୦ ରୁ ଅଧିକ ପରିବାର ପାଇଁ ପାନୀୟ ଜଳର କୌଣସି ସୁବିଧା ନାହିଁ । ଗ୍ରାମରେ ଥିବା ଗୋଟିଏ ନଳକୂପ ଅଳ୍ପ ପାଣି ଦେଉଥିବା ବେଳେ ସେଥିରୁ ଜିଆ ଭଳି ଅନେକ ଖରାପ ଆବର୍ଜନା ମଧ୍ୟ ବାହାରୁଛି । କେବଳ ସେତିକି ନୁହେଁ ୱାଟକୋ ତରଫରୁ ଦିଆଯାଉଥିବା ପାଣି ମଧ୍ୟ ମନ ମୁତାବକ ଭାବେ ଆସୁଛି । ଯେଉଁଥିପାଇଁ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଁ ବର୍ଷ ବର୍ଷ ଧରି ଯୁଝି ହେଉଛନ୍ତି ଗ୍ରାମବାସୀ।ଏନେଇ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ନ ଶୁଣିବାରୁ ଶେଷରେ ଆଜି ଗ୍ରାମବାସୀମାନେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଗରା ବାଲଟି ଧରି ଧାରଣାରେ ବସିଛନ୍ତି । ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ।









