ଭୁବନେଶ୍ୱର: ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟକଳାପକୁ ନେଇ ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ଜଳସେଚନ ବ୍ୟବସ୍ଥାର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଏଥିରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଚିତ୍ର କୁମାର ସାମଲ, ଅତିରିକ୍ତ ଶାସନ ସଚିବ ଲିନା କୁମାରୀ ସେସ୍ ଏବଂ ସମସ୍ତ ଜିଲ୍ଲାର ଉଠାଜଳସେଚନ ଅଧିକାରୀ ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ ତଥ୍ୟ ପ୍ରଦାନ କରିଥିଲେ । ବୈଠକରେ ଉଭୟ ରବି ଓ ଖରିଫ ଋତୁରେ ଚାଷଜମିକୁ ପର୍ଯ୍ୟାପ୍ତ ଜଳ ସେଚନ ପାଇଁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଉପରେ ଆଲୋଚନା ହୋଇଥିଲା । ଏଥିନିମନ୍ତେ ଅଚଳ ହୋଇ ପଡ଼ିରହିଥିବା ଗୋଷ୍ଠୀ ଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ , ପାରମ୍ପରିକ ଓ ସୌରଶକ୍ତି ଚାଳିତ ଗଭୀର ନଳକୂପ ଏବଂ ଅଗଭୀର ନଳକୂପଗୁଡ଼ିକର ପୁନରୁଦ୍ଧାର ସମ୍ପର୍କରେ ବୈଠକରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅନୁଦାନର ସଠିକ୍ ବିନିଯୋଗ ତଥା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମାସିକ ଭିତ୍ତିକ ବ୍ୟୟ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରକଳ୍ପଗୁଡ଼ିକର ସଠିକ୍ ପରିଚାଳନା ଏବଂ ପ୍ରକୃତ ସମୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ଏକ ସୁଦୃଢ଼ ଅନଲାଇନ୍ ଡାଟାବେସ୍ ପ୍ରସ୍ତୁତ କରାଯିବ। ପାଇଁ ନିଷ୍ପତ୍ତି ନିଆଗଲା ।










