ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଆମେରୀକିୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ମଧ୍ୟରେ , ସରକାରୀ କ୍ଷେତ୍ରରେ ତୈଳ ବିପଣନ କମ୍ପାନୀଗୁଡିକ ସୋମବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨.୭୧ ଟଙ୍କା ବୃଦ୍ଧି କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲ ର ଚତୁର୍ଥ ଦିନ ବୃଦ୍ଧି ହୋଇଛି । ଦୀର୍ଘ ଦିନ ପରେ ତେଲ ମୂଲ୍ୟରେ ପ୍ରଥମ ବୃଦ୍ଧି ମେ ୧୫ରେ ହୋଇଥିଲା । ସେବେଠାରୁ ପେଟ୍ରୋଲ ୭.୩୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୭.୮୨ ମହଙ୍ଗା ହୋଇଛି । ଆହୁରି ମୂଲ୍ୟ ବୃଦ୍ଧି ହେବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ତୈଳ ଅଧିକାରୀମାନେ କହିଛନ୍ତି ଯେ, ଏହି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଆକାଶ ଛୁଆଁ ଏବଂ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ଆମଦାନୀ ଖର୍ଚ୍ଚ ବୃଦ୍ଧି ହେଉଛି ।
ତୈଳ ଏବଂ ପ୍ରାକୃତିକ ଗ୍ୟାସ କର୍ପୋରେସନ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ର ଅଧିକାରୀମାନେ କହିଛନ୍ତି ଯେ, ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଏବଂ ଅଣ୍ଡର- ରିକଭରୀ ବା ଧାର୍ଯ୍ୟ ମୂଲ୍ୟ ଠାରୁ କମରେ ବିକ୍ରି ତୈଳ ଖୁଚୁରା ବ୍ୟାବସାୟୀଙ୍କ ଉପରେ ଯଥେଷ୍ଟ ଚାପ ପକାଇଛି । ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପୂର୍ବରୁ କହିଛନ୍ତି, ମେ’ ୧୫ ତାରିଖର ବୃଦ୍ଧି ଦ୍ୱାରା କ୍ଷତି ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ୱେ, ସରକାରୀ ତେଲ କମ୍ପାନିଗୁଡ଼ିକ ଏବେ ବି ପ୍ରତିଦିନ ପ୍ରାୟ ୭୫୦ କୋଟି ଟଙ୍କା କ୍ଷତି ସହୁଛନ୍ତି । ରେଟିଂ ଏଜେନ୍ସି କ୍ରିସିଲ୍ର ଆକଳନ ଅନୁଯାୟୀ, ସାମ୍ପ୍ରତିକ ସଂଶୋଧନ ପରେ ମଧ୍ୟ, ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଉପରେ ପ୍ରତି ଲିଟର ପ୍ରାୟ ୧୦ ଟଙ୍କା ଏବଂ ଡିଜେଲ ଉପରେ ପ୍ରାୟ ୧୩ ଟଙ୍କା କ୍ଷତି ସହୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୨୦% ରୁ ୫୦% ବୃଦ୍ଧିକୁ ପ୍ରାରମ୍ଭରେ ଅସ୍ଥାୟୀ ଭାବରେ ବିବେଚନା କରାଯାଉଥିଲା । ଅଶୋଧିତ ତେଲ ମୂଲ୍ୟ ବହୁ ସମୟ ଧରି ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିଛି । ଏହି ସମୟରେ, ଡଲାର ତୁଳନାରେ ଟଙ୍କା ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହା ଦ୍ୱାରା ତେଲ କମ୍ପାନିଗୁଡ଼ିକ ବହୁ କ୍ଷତି ସହୁଛନ୍ତି। ପରିସ୍ଥିତି ଯେଉଁଭଳି ଭାବରେ ସଙ୍କଟ ଜନକ ହେଉଛି,ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି କମ୍ପାନିଗୁଡ଼ିକ ସେମାନଙ୍କର କ୍ଷତି କମ କରିବାକୁ ଚେଷ୍ଟା କରୁଛନ୍ତି ।










