ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଏବଂ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଏପ୍ରିଲ ୨ ଓ ୩ ତାରିଖରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ “ଆମ ପୋଷାକ ଆମ ପରିଚୟ”- ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯିବ। ଏନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଓଡ଼ିଶାର ହସ୍ତତନ୍ତ କେବଳ ଏକ ଶିଳ୍ପ ନୁହେଁ, ବରଂ ଓଡ଼ିଶାର ସାଂସ୍କୃତିକ ବିବିଧତା ଓ ଐତିହ୍ୟର ପ୍ରତୀକ। ତେଣୁ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯାଇ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସର୍ବୋପରି ସମସ୍ତ ନାଗରିକମାନଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବା ପାଇଁ ପ୍ରୋତ୍ସାହିତ କରାଯିବା ସହ “ଆମ ପୋଷାକ ଆମ ପରିଚୟ” ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରାଯାଇଛି।
ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ପରିଧାନ କରି ଏହାର ସ୍ୱଚିତ୍ର ଉତ୍ତୋଳନ କରି (ସେଲ୍ଫି ଉଠାଇ) ଏହାକୁ ଓଡ଼ିଆ ପକ୍ଷ ୱେବ୍ସାଇଟ (Odiapakhya.com) ରେ ଅପଲୋଡ଼ କରିବାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁକୁହାଯାଇଛି। ଏଥିସହ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ବୟନିକା, ଉତ୍କଳିକା, ରେଶମ ଓଡ଼ିଶା ଓ ସମ୍ବଲପୁରୀ ବସ୍ତ୍ରାଳୟର ସମସ୍ତ ଶାଖାରେ ହସ୍ତତନ୍ତ ବସ୍ତ୍ର କ୍ରୟ ଉପରେ ଶତକଡ଼ା ୨୦+୧୦ ଭାଗ ରିହାତି ପ୍ରଦାନ କରାଯାଉଛି। ଏପ୍ରିଲ ୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନର ଆୟୋଜନ କରାଯିବ। ସୂଚନାଯୋଗ୍ୟ ଯେ, ଓଡ଼ିଆ ସଂସ୍କୃତିକୁ ବିଶ୍ୱବିଦିତ କରିବା ଲକ୍ଷ୍ୟ ନେଇ ଆମ ଯୁବପିଢ଼ିଙ୍କୁ ଓଡ଼ିଆ ସଂସ୍କୃତି ସହ ପୁନଃ ସଂଯୋଜିତ କରିବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର ପ୍ରତ୍ୟେକ ଦିନ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।









