ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଓ ପରେ ବର୍ଦ୍ଧିତ ଏମଏସପି ୬୯ ଟଙ୍କା ମିଶାଇ ଦେବାକୁ ଘୋଷଣା କରି ଏବେ ପଛଘୁଞ୍ଚା ଦେଉଛନ୍ତି । କଟନୀଛଟନୀରେ ଅତିଷ୍ଠ ହୋଇପଡ଼ିଥିବା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଉପରେ ମିଲର୍ସମାନେ ଦାଉ ସାଧୁଛନ୍ତି । ଦୀର୍ଘଦିନ ହେଲା ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । ଶୀତ କାକରରେ ପଡ଼ି ଚାଷୀମାନେ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମେଳା, ମହୋତ୍ସବରେ ମଉଜରେ ମାତିଛନ୍ତି । ଏପରିକି ଖୋଦ ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ବଦଳରେ ସେମାନଙ୍କୁ ତାତ୍ସଲ୍ୟ କରିବାକୁ ପଛେଇ ନାହାନ୍ତି । ଚାଷୀଙ୍କ ପ୍ରତି ସାମାନ୍ୟ ଦରଦ ଥିଲେ ରାଜ୍ୟର ବିଜେପି ସରକାର ସେମାନଙ୍କ ସମସ୍ୟା ଦୂର କରିବାକୁ ପ୍ରୟାସ କରନ୍ତା । ଜନବିରୋଧୀ, କୃଷକ ବିରୋଧୀ ରାଜ୍ୟ ସରକାରଙ୍କ ଏହି ଅନ୍ୟାୟ ବିରୋଧରେ ବିଜେଡି ସଂଗ୍ରାମ ଜାରି ରଖିବ । ରାଜ୍ୟର ଚାଷୀ, ମହିଳା, ସାଧାରଣ ଲୋକଙ୍କ ହକ ଓ ଅଧିକାର ପାଇଁ ବିଜୁ ଜନତା ଦଳ ସବୁବେଳେ ଲଢ଼େଇ ଜାରି ରଖିବ । ମଣ୍ଡି ଓ ଧାନକିଣାରେ ଅବ୍ୟବସ୍ଥା, ଟୋକନ ଅବଧି ସରିଯିବା ପରେ ବି ଧାନ ନଉଠିବା ଓ ମାସ ମାସ ଧରି ଚାଷୀଙ୍କୁ ହଇରାଣ କରାଯିବା ଅଭିଯୋଗରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି ।
ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି, ରାଜ୍ୟରେ ସାମ୍ପ୍ରଦାୟିକ ଭେଦଭାବ ବୃଦ୍ଧି ସହିତ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ କରି ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡି । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେଡିର ବହୁ ନେତୃବୃନ୍ଦ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ । ଅପରାହ୍ନରେ ବିଜେଡି ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ଦେବାକୁ ଯାଉଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇଥିଲା । ଜିଲ୍ଲାପାଳ ଆସିବାରେ ବିଳମ୍ୱ କରିବା ସହିତ ତାଙ୍କ ପ୍ରତିନିଧି ଭାବେ ଭବାନୀପାଟଣା ଉପଜିଲ୍ଲାପାଳଙ୍କୁ ଆଲୋଚନା ପାଇଁ ପଠାଇଥିଲେ । କିନ୍ତୁ ଜିଲ୍ଲାପାଳ ନିଜେ ଆସି ଦାବିପତ୍ର ଗ୍ରହଣ କରିବାକୁ ଜିଦ ଧରି ଅଡ଼ି ବସିଥିଲେ ବିଜେଡି ନେତୃବୃନ୍ଦ । ତେବେ ଦୀର୍ଘ ସମୟ ଧରି ଜିଲ୍ଲାପାଳ ନ ଆସିବାରୁ ଶତାଧିକ ବିଜେଡି ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ନାରାବାଜି କରିବା ସହିତ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ, ମୌସୁଧି ବାଗ, ଦୁଷ୍ମନ୍ତ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ସମବାୟ ବ୍ୟାଙ୍କ ସଭାପତି ଗିରୀଶ ବେହେରା, ସମାଜ କଲ୍ୟାଣ ବୋର୍ଡ ସଦସ୍ୟା କଲ୍ୟାଣୀ ନାଏକ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଧର୍ମେନ୍ଦ୍ର ନାଏକ, ଲଳିତା ନାଏକ, ଟିକେଲାଲ ସାହୁ, ପରମାନନ୍ଦ ମାଝୀ, ସଚିଦାନନ୍ଦ ମହାଖୁଡ଼, ଦୁର୍ଗା ପ୍ରସାଦ ମହାନ୍ତି, ବିଷ୍ଣୁ ପ୍ରଧାନ, ଆଦିତ୍ୟ ନନ୍ଦ, ତ୍ରିଲୋଚନ ପାଣିଗ୍ରାହୀ, ମନୀନ୍ଦ୍ର ମହାନ୍ତି, ଯଯାତି ନାୟକ, ମାଣିକ୍ୟ ନାଏକ, ମଣ୍ଟୁ ନାଏକ, ନୃପରାଜ ଯାଦବଙ୍କ ସହିତ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଦସ୍ୟ, ସଦସ୍ୟା ଏବଂ ମୁ୍ୟନିସିପାଲିଟି ଓ ଏନଏସି କାଉନସିଲର, ବିଜେଡି ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାର ୧୩ ଗୋଟି ବ୍ଲକ ଓ ସହରାଞ୍ଚଳରୁ ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ପୁରୁଷ ମହିଳା କର୍ମୀ, ଚାଷୀ ଓ ଜନସାଧାରଣ ଯୋଗ ଦେଇଥିଲେ ।
ବିକ୍ଷୋଭ ଓ ପ୍ରତିବାଦ ସଭା ପୂର୍ବରୁ ସର୍କିଟ ହାଉସରୁ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କର୍ମୀମାନଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭାସ୍ଥଳରେ ପହଞ୍ଚିଥିଲେ । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନକଟିଗୁଡ଼ା ଛକରୁ ଜେଲ୍ ଛକ ଦେଇ ବିଶାଳ ଶୋଭାଯାତ୍ରା ସହିତ ସଭାରେ ଯୋଗ ଦେଇଥିଲେ । ସେହିପରି ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି କଲେଜ ଛକରୁ ଦଳୀୟ ନେତା ଓ କର୍ମୀଙ୍କ ବିରାଟ ପଟୁଆରରେ ସଭାସ୍ଥଳରେ ପହଞ୍ଚିଥିଲେ । ଛାତ୍ର ନେତା ଅବିନାଶ ଠାକୁର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଦଳର ବରିଷ୍ଠ ନେତା ଭବାନୀ ଶଙ୍କର ମିଶ୍ର ସଭା ପରିଚାଳନା କରିଥିଲେ । ଜିଲ୍ଲା ବିଜେଡି ଉପସଭାପତି ଧର୍ମେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।










